ଜନନୀ-ଜନ୍ମଭୂମି
ଜନନୀ-ଜନ୍ମଭୂମି
ଜନନୀ ମୋତେ ଜନ୍ମ ଦେଲା
ଜନ୍ମଭୂମି ଧରିଲା ତୋଳି
ତାହାରି ବକ୍ଷେ ଭୂମିଷ୍ଠ ହେଲି
ତାହାରି ଧୂଳି ଅଙ୍ଗେ ବୋଳି ll
ଜାଗ୍ରତ ହେଲା ପରାଣ ମୋର
ଥିଲାଟି ଯାହା ସୁପ୍ତ
ତାହାରି ବାୟୁ ଆଲୋକ ସ୍ପର୍ଶେ
ପ୍ରବାହ ହେଲା ରକ୍ତ ll
ଆର୍ଦ୍ରତା ଭାଙ୍ଗି ଉଷ୍ଣତା ଦେଲା
ମୋର ଜନନୀ କୋଳ
ତାହାରି କୋଳ ସ୍ନିଗ୍ଧ ପରସେ
ଜାଗିଲା ମୋର ବଳ ll
ଶ୍ୱାସ ପ୍ରଶ୍ୱାସେ ତାହାରି ବାୟୁ
ନେଲି ମୁଁ ଯେବେ ଟାଣି
ଶରୀର ମୋର ଉଠିଲା ଚେଇଁ
ଶବ୍ଦଧ୍ୱନିକୁ ଜାଣି ll
ଖୋଲି ମୁଁ ଆଖି ଦେଖିଲି ଯେବେ
ଜନ୍ମଭୂମିକୁ ମୋର
ଜନନୀ ହାତ ଧରି ମୁଁ କେତେ
ଖେଳିଲି ବକ୍ଷେ ତା'ର ll
କ୍ଷୁଧାରେ ପ୍ରାଣ ଅଥୟ ହେଲା
ଉଠିଲି ଯେବେ କାନ୍ଦି
ଜନନୀ ଦେଲା ଶାକ-ତଣ୍ଡୁଳ
କୋଳରେ ଦେଇ ଛନ୍ଦି ll
ତାହାରି ଶାକ-ତଣ୍ଡୁଳ ଖାଇ
ହୋଇଲି ଧିରେ ବଡ
ଏଇ ମାଟିର ପାଣି ପବନେ
ଶକତ ହେଲା ହାଡ଼ ll
ଜୀବନ ମୋର ଉଠିଛି ଗଢି
ଯାହାଙ୍କ ଶ୍ରେୟ ଫଳେ
ଜନନୀ-ଜନ୍ମଭୂମି ସେ ମୋର
ଧନ୍ୟ ଏ ମହୀ ତଳେ ll
ପିତା-ମାତା-ଭାଇ-ଭଗିନୀରେ
ସାଙ୍ଗ ସାଥୀଙ୍କ ମେଳେ
ବିତଇ ଦିନ ସୁଖରେ ମୋର
ଏଇ ମାଟି ମା' କୋଳେ ll
ଜନନୀ-ଜନ୍ମଭୂମି ନୁହଁନ୍ତି
କେହି କାହାଠୁ ଭିନ୍ନ
ଜଣଙ୍କ ବିନା ଆଉ ଜଣଙ୍କ
ନୁହଁଇ ପରିପୂର୍ଣ୍ଣ ll
ଜନନୀ-ଜନ୍ମଭୂମିଠୁ ବଡ଼
ନାହିଁରେ କେହି ଆଉ
ଜନନୀ-ଜନ୍ମଭୂମିର ସେବା
କରି ମୋ ଦିନ ଯାଉ ll