ଜମାନବନ୍ଦୀ
ଜମାନବନ୍ଦୀ
ହେ ଈଶ୍ଵର ! ତୁମେ ପରଂବ୍ରହ୍ମ ସୃଷ୍ଟିର ରଚୟିତା
ବ୍ରହ୍ମାଣ୍ଡର ଶୀର୍ଷତମ ନ୍ୟାୟାଳୟେ ତୁମେ ନ୍ୟାୟାଧୀଶ
ତୁମ ଧର୍ମର ଅଦାଲତରେ ମୁଁ ଅଭିଯୁକ୍ତ ବନ୍ଦୀ
ଜାଣେନା ମୁଁ ମୋର ଦୋଷ ଦୁର୍ବଳତା କି ଅପରାଧ
ତୁମରି ଦୟା କରୁଣାରେ ପାଇଛି ମଣିଷ ଜନମ
ଦେଇଛ ମନରେ ଯେଉଁ ବୁଦ୍ଧି ବିବେକ ଜ୍ଞାନ
ସେଇ ଅନୁଯାୟୀ ତ କରୁଛି ମୋର ଯେତେ କରମ
କେହି ନ ଜାଣିଲେ ବି ସବୁ ତୁମେ ଜାଣୁଛ
ମୋ ପ୍ରାଣର ପ୍ରତିଟି ସ୍ପନ୍ଦନରେ ଅଛ ତୁମେ
ପ୍ରତି ନିଶ୍ଵାସ ପ୍ରଶ୍ଵାସରେ ମଧ୍ୟ ତୁମେ ହିଁ ଅଛ
ମୁଁ ଯା' ଭାବୁଛି ମୋ ଭାବ ଭାବନାରେ
ଆସେ ଯେତେ ମୋ ମନରେ ଆଶା ଆକାଂକ୍ଷା
ପାଇବାକୁ କରେ ସବୁ ଶୁଭକାମନା
ପୂର୍ଣ୍ଣ କରିବାକୁ ପାର୍ଥିବ ଜୀବନର ବାସନା
କରି ଚାଲେ ମୁଁ ମୋ ପାରୁ ପର୍ଯ୍ୟନ୍ତ ଶ୍ରମ ସାଧନା
ତଥାପି ଭୋଗୁଛି କାହିଁକି ଏତେ ଯନ୍ତ୍ରଣା
ନିରପେକ୍ଷ ସୁବିଚାର ପାଇଁ ଦିଏ ଜମାନବନ୍ଦୀ
ଏ ସାରା ସଂସାରରେ ପ୍ରତି ମୁହୁର୍ତ୍ତରେ ମୋତେ
କିଏ କରେ ବିଶ୍ଵାସ କିଏ କରେ ପରିହାସ
ହୁଏ ମୁଁ ହତାଶ ବିବଶ ପାଏ ନାହିଁ ଆତ୍ମସନ୍ତୋଷ
ମୋ ପରିବେଶ ପରିସ୍ଥିତିରେ ପାଇଲେ ସଫଳତା
ଆପଣାର ଲୋକ କରନ୍ତି କାହିଁକି ଏତେ ଈର୍ଷା
ବିଫଳ ହେଲେ ପୁଣି କରନ୍ତି ବିଦ୍ରୁପ
ଯଦିଓ ସଫଳତା ବିଫଳତା ଜୀବନର ଦୁଇ ଧାର
ପ୍ରତି କଥା ପ୍ରତି କାମରେ ରଖନ୍ତି ନଜର
ମଣିଷ ମଣିଷକୁ ହିଁ କରୁଛ ସନ୍ଦେହ ଅବିଶ୍ୱାସ
ପରସ୍ପର ମଧ୍ୟରେ ଲାଗି ରହେ କନ୍ଦଳ
ନାହିଁ ଶାନ୍ତି କି ତୃପ୍ତି ଖାଲି ଗଣ୍ଡଗୋଳର କୋଳାହଳ
ଆତ୍ମୀୟତାରେ ନାହିଁ କାହାର ଆନ୍ତରିକତା
ସଂପର୍କ ମଧୁର ବନ୍ଧନ ପାଲଟି ଯାଏ ନାଗଫାସ
ମଣିଷର ବିଶ୍ଵାସ ବଦଳି ଯାଇ ହୁଏ ହଳାହଳ ବିଷ
କେହି କାହାକୁ କରୁନାହିଁ ବିନା ସ୍ୱାର୍ଥରେ ଭରସା
ନିନ୍ଦା ଅପବାଦ ଅପମାନ ଦେବାର ରୁକ୍ଷ କର୍କଶ ଭାଷା
ଦୁଃଖ ଯେତେ ପାଏ ମଣିଷ ଜୀବନ କାଳରେ
ସେ ସବୁ ଶହେରୁ ଅନେଶତ ମଣିଷ କୃତ
ଛନ୍ଦ ମନ୍ଦ କୁଟ କପଟ ଚାଲେ ଏଠି ସର୍ବଦା
କୌଣସି ପ୍ରକାର ତା ସ୍ଵଭାବରୁ ହେଉନି ନିବୃତ୍ତ
ମନକୁ ଆସେ ମୋର ଏକ ପ୍ରଶ୍ନ ବାରମ୍ବାର
ତୁମେ ତ ସବୁ ମଣିଷଙ୍କର ସ୍ରଷ୍ଟା ଦ୍ରଷ୍ଟା ଜନ୍ମଦାତା
ସବୁ ଜୀବର ଜୀବନ ତୁମେ ହେ ପରମପିତା
ତେବେ କାହିଁକି ରହୁଛି ଏତେ ବିଷମତା
ଜଣେ ହୁଏ ସାଧୁ ଆଉ ଜଣେ ହୁଏ ଅବରାଧୀ
ତୁମେ ତ ଦେଇଛ ଜନ୍ମ କର୍ମ ସବୁ କିଛି
ସବୁରି ମନରେ ପ୍ରାଣରେ ତୁମେ ନଦେଲେ କାହିଁକି
ଏକ ପ୍ରକାର ଗୁଣ ସ୍ଵଭାବ ଚରିତ୍ରର ଭାବନା
ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଏକ ଖାଦ୍ୟ ଏକ ପ୍ରକାର
ପ୍ରକୃତିକୁ ଜ୍ଞାନ ଆହରଣ କରନ୍ତି ବି ଏକ
ତେବେ ଏତେ ଅସାମଞ୍ଜସ୍ୟ ବିଭିନ୍ନତା କାହିଁକି
ହେ ଈଶ୍ଵର ! ତୁମକୁ ଦେଉଛି ମୋର ଏଇ ଜମାନବନ୍ଦୀ
ତୁମେ ସୁବିଚାରକ ନ୍ୟାୟ ବିଚାର କରୁଛ କରିବ
ମିଛ ମାୟାରେ ଏ ଜଗତକୁ ରଖନା ଛନ୍ଦି
କେବେ ଆଖିରୁ କାହାର ଲୁହ ନ ଝରୁ କାନ୍ଦି କାନ୍ଦି।