ଜିଜ୍ଞାସା
ଜିଜ୍ଞାସା
କାଳ ବୈଶାଖୀର ତାଣ୍ଡବ ଲୀଳା
ପବନର ବେଗ ଅତି ତୀବ୍ର
ତାଳ ଗଛରେ ଦୋହଲୁଛି
ବାଇ ଚଢ଼େଇର ବସା
ବସା ଭିତରେ ଶିଶୁ ଶାବକ ଟିଏ
ତା ମାଆକୁ ଭିଡ଼ି ଧରି ପଚାରୁଛି
ମାଆ ଲୋ,,! ଏବେ ଏ ବସା ରହିବତ
ଭୟ ଲାଗୁଛି ଲୋ ମାଆ
ମାଆ ନିଜ ଥଂଟରେ ଗେଲ କରି
ନିଜ ପାଖକୁ ଭିଡ଼ି ଆଣି ସଧୀରେ
ଆଶ୍ଵାସନା ଦେଇ କହିଲା
ନାଇଁରେ, ଏହି ଖଞ୍ଜା ଏବେ ଅଛି
ଆଉ କିଛି କ୍ଷଣ ପରେ ଥମି ଯିବ ଆପେ ଆପେ,
ଭୟ କରିବାର ନାହିଁ
ଆମ ବସା ବାଇ ଚଢେଇର ବସା
ବା ବତାସକୁ ଖାତିର ନକରି
ଏପଟ ସେପଟ ଦୋହଲୁ ଥାଏ
ଝଡ଼ ଚାଲିଯିବ ଝଡ଼ର ବାଟରେ
ଶାନ୍ତ ହୋଇବ ପ୍ରକୃତି, ଆକାଶ ଛାତି ଉପରୁ ହଟିଯିବ ଘନଘଟାର ବାଦଲ
ଆମ ବସା ସେମିତି ଝୁଲୁ ଥିବରେ
ଆମେ ପରା ବଡ ବିଚିତ୍ର ବିନ୍ଧାଣୀ
ଆମର ସାହା ଭରସା ସେଇ ସୃଷ୍ଟିକର୍ତ୍ତା
ଜମାରୁ ଡରିବୁ ନାହିଁ
ପ୍ରକୃତି ସହ ତାଳମେଳ ରଖି ଚାଲିବାକୁ
ଶିଖିବାକୁ ହେବ
ଏ ଥିଲା ଶିଶୁ ଶାବକ ଜିଜ୍ଞାସା ପ୍ରତି
ତା ମାଆର ମମତା ଭରା ଉତ୍ତର।
