ଜୀବନରଙ୍ଗ
ଜୀବନରଙ୍ଗ
ଫୁଲଚୁଇଁ ପଚାରେ ଫୁଲକୁ-
ରସ ମଲ୍ଲୀ ! କଇଁଫୁଲ !!
ହେଉ ଏତେ ଛଇଳି ଫୁଲେଇ
ଆଇନା ମନରେ ତୋର କାହାର ପରତ
ଜହ୍ନ ଅବା କେଉଁ ତାରକାଙ୍କ ପାଇଁ
ତୋର ଏତେ ଅଭିସାର ?
ଫୁଲଚୁଇଁ ପଚାରେ ଫୁଲକୁ-
ପଦ୍ମିନୀ ଗୋ ! ଫୁଲରାଣୀ !!
ଢଳଢଳ ସୁକୋମଳ ଦିଶ ମନୋହର
ତୁମ ଦିବ୍ୟ ସୀମାନ୍ତରେ ଏକଇ ସୂରୁଜ
ଆଲୋକକୁ ପାଅ ଏତେ ଭଲ
ଏହିକି ଜୀବନ ସୂତ୍ର
ପାଇବାକୁ ଜୀବନର ରଙ୍ଗ ?
ଫୁଲରେ ଚହଟେ ବାସ
ଜହ୍ନ ଜାଳେ ମିଠା ମିଠା ନିଆଁ
ଜହ୍ନ ଚୋର, ଫୁଲ ଓଠକୁ ପିଇଯାଏ
ସ୍ନେହ ପ୍ରେମ ମଧୁ
ହୁଏ ନାହିଁ ଫୁଲ ପ୍ରିୟ ଜୀବନର ସାଥି ।
ରଙ୍ଗ ହୀନ ପରବାସୀ ତାରକା ଗହଣେ
ଜୀବନ ମହାର୍ଘ ରଙ୍ଗ ପଡ଼ିଯାଏ ଫିକା
ଶୁଖିଯାଏ ସୁରଭି ପେଟିକା
ମଉଳା ବାସି ଫୁଲ ହୁଏ ହତାଦର ।
ଫୁଲଚୂଇଁ କହଇ ଫୁଲକୁ-
ସୃଷ୍ଟିର ଶ୍ରେଷ୍ଠ ସମ୍ଭାର
ଦିବ୍ୟ ତୁମ ରୂପ ଶୋଭା
ନ ଭରମୁ କୂଳପାଳ
ନ ହେଉ ପତିତା ,
ଟିକି ମୋର ପକ୍ଷମେଲି ଉଡୁଥାଉ
ମନ ମୋର ଏଇ ନୀଳାକାଶେ
ଏଇମିତି ମିଳୁଥାଉ ଦେଖା ।
--+---