ଜୀବନର ସ୍ଵରୂପ
ଜୀବନର ସ୍ଵରୂପ
ଜୀବନଟା ଏକ ଖେଳ ଘର ପରି
କେବେ ଭାଙ୍ଗେ କେବେ ଗଢେ
ଅଜଣା ଅଶୁଣା ଆପଣାର ହୁଏ
ନିରନ୍ତର ମନ ଭିଡେ ।
ମନକୁ ରସାଇ ସ୍ନେହ ବରଷାଇ
ହୃଦୟରୁ ପୋଛେ ଦୁଃଖ
ବିଶ୍ଵାସିକ ହୋଇ ମାନସେ ବସଇ
ପ୍ରାଣେ ଭରି ଥାଏ ସୁଖ ।
ମନ୍ଦିର ଗର୍ଭର ଦେବ ମୂର୍ତ୍ତି ତୁଲ୍ୟ
ଶ୍ରଦ୍ଧାରେ ଅନ୍ତରେ ବସେ
ଅନ୍ଧାରେ ଆଲୋକ ଏକାନ୍ତେ ସନ୍ତୋଷ
ଭରି ଦିଏ ହାସ୍ୟ ରସେ ।
ଜୀବନଟା ପୁଣି ମରୁଭୂମି ହୁଏ
ଯଦି ହୁଏ ପ୍ରତାରିତ
ବିନା ଶ୍ରାବଣରେ ଅଜସ୍ର ବରଷା
ରୂପ ତାର ଅଶ୍ରୁପାତ ।
ଜୀବନଟା ମୁଠେ ଦାନ ପାଇ ବଞ୍ଚେ
ଯଦି ଟିକେ ଥାଏ ସ୍ନେହ
ଜୀବନ ଏମିତି ବୃକ୍ଷର ଗହଳ
ବାନ୍ଧି ରଖେ ପ୍ରୀତି ମୋହ ।
ଜୀବନ ଏମିତି ଅସରନ୍ତି ଶଦ୍ଦ
ଅସମାପ୍ତ ଅଭିଧାନ
ତରଙ୍ଗାୟିତରେ ହସ କାନ୍ଦ ଦୋଳେ
ଭାଙ୍ଗି ମାନ ଅଭିମାନ ।
ଜୀବନଟା ଏକ ରଙ୍ଗ ନାଟ୍ୟଶାଳା
କରି ଚାଲ ଅଭିନୟ
ଅନ୍ତରାଳେ ଯେଉଁ ଦୃଶ୍ୟ ଚିତ୍ରପଟ
ଦିଏ ନାହିଁ କେହି ଲୟ ।
ଜୀବନଟା ଏକ ଲବଣ ସାଗର
ତୃଷାର୍ତ୍ତ ତୃଷାରେ ମରେ
ଜୀବନଟା ଏକ ବାଲୁକା ମନ୍ଦିର
ଗଢି ବାରେ ଦିନ ସରେ ।
ଜୀବନଟା ଏକ ଅର୍ଦ୍ଧ ଭଗ୍ନ ଶିଳା
ନିତି ବାଳ ଭାନୁ ଆସେ
କରୁଣ କାହାଣୀ ଗୋପନେ ଗଚ୍ଛିତ
ଧ୍ୟାନ ନାହିଁ ତା'ର ପାଶେ ।
ଜୀବନ ପୁଲ୍ଲକେ ପଲକେ ପଲକେ
ପୁଣି ସେ ମଉଳି ଯାଏ
ରାତିର ଶେଫାଳୀ ଯେସନେ ପ୍ରଭାତେ
ଧରଣୀ କୋଳରେ ଶୋହେ ।
ଜୀବନଟା ଯେବେ କ୍ଷୀଣ ସ୍ଥାଣୁ ନିଏ
ସଂଧ୍ୟା ହୁଏ ରତ ରତ
ମାୟା ହରା ଆଖି ଦେଉ ଥାଏ ଲେଖି
ଅଂହକାର ଭସ୍ମୀଭୂତ ।

