STORYMIRROR

Kishore Nayak

Abstract Tragedy

4  

Kishore Nayak

Abstract Tragedy

ଜୀବନର ପୂର୍ଣ୍ଣଛେଦ

ଜୀବନର ପୂର୍ଣ୍ଣଛେଦ

1 min
186


ଏ ଜୀବନ 

ଶବ୍ଦ ବିନ୍ୟାସର ପଦାତ୍ମକ ସମଷ୍ଟିରେ 

ସୃଷ୍ଟି ହେଉଥିବା ଏକ ପୂର୍ଣ୍ଣାଙ୍ଗ ବାକ୍ୟର ପରିଶେଷରେ

ପରିସମାପ୍ତିର ବାର୍ତ୍ତା ବହନ କରୁଥିବା ଏକ ପୂର୍ଣ୍ଣଛେଦଟିଏ ପରି l

ଘଟଣା ପ୍ରବାହର ଛୋଟ ଛୋଟ ବାକ୍ୟର ଭବ୍ୟ ସଂଯୋଜନାରେ 

ଏ ଜୀବନ 

ଯୌଗିକତାର ଏକାଧିକତ୍ୱକୁ ନେଇ 

କେତେବେଳେ ଜଟିଳ ତ ପୁଣି କେତେବେଳେ ସରଳ 

କେତେବେଳେ ବିସ୍ମୟ ତ ପୁଣି କେତେବେଳେ 

ପ୍ରଶ୍ନବାଚୀର ପଦଚିହ୍ନରେ ଅସମାପ୍ତ, ଅସମ୍ପୂର୍ଣ୍ଣ 

ଆରମ୍ଭ ଆଉ ଶେଷର ଦୂରତ୍ୱ ମଝିରେ 

କର୍ତ୍ତା, କ୍ରିୟା ଆଉ କର୍ମର ନିବିଡ଼ ସମ୍ପର୍କକୁ ନେଇ 

ଏ ଜୀବନ ଯେପରି ଗତିଶୀଳ ସେପରି ପରିବର୍ତ୍ତନଶୀଳ ମଧ୍ୟ l

କିନ୍ତୁ ଏ ଜୀବନର ପୂର୍ଣ୍ଣଛେଦ

ଏକ ବାକ୍ୟର ପୂର୍ଣ୍ଣଛେଦ ଠାରୁ ଟିକେ ଅଲଗା 

ପରନ୍ତୁ ଏ ପୂର୍ଣ୍ଣଛେଦର ରେଖା କିନ୍ତୁ ଗୋଟିଏ 

ଏହା ଏକ ବାକ୍ୟର ପରିଶେଷରେ ଯେପରି ଦୃଶ୍ୟମାନ 

କିନ୍ତୁ ଜୀବନର ପରିଶେଷରେ ସେପରି ଅଦୃଶ୍ୟମାନ 

ତେଣୁ ଜୀବନକୁ ନେଇ ଶବ୍ଦ 

ଆଉ ଶବ୍ଦକୁ ନେଇ ଜୀବନ 

ଶବ୍ଦର ସମାହାରରେ ଯେପରି ବାକ୍ୟର ଉନ୍ମେଷ 

ଠିକ୍ ସେଇପରି 

ଶବ୍ଦର ନିନାଦିତ ଓଁ ଧ୍ୱନିରୁ ଏ ଜୀବନର ଉନ୍ମେଷ 

ଆଉ ଓଁ ଧ୍ଵନିରେ ହିଁ ଏ ଜୀବନର ଶେଷ l

ତେଣୁ 

ବାକ୍ୟ ଯେପରି ତା'ର ଭାବାତ୍ମକ ପୂର୍ଣ୍ଣତାକୁ ପରିପ୍ରକାଶ କରି 

ପରିସମାପ୍ତିର ଶେଷ ସ୍ପର୍ଶରେ ପୂର୍ଣ୍ଣଛେଦକୁ ଆମନ୍ତ୍ରଣ କରେ

ଠିକ୍ ସେଇପରି 

ଏ ଜୀବନ ବାକ୍ୟର ବିଥିକା କିନ୍ତୁ ତା' ନୁହେଁ

ପୂର୍ଣ୍ଣଛେଦ ତ କେଉଁ ମୁହୂର୍ତ୍ତରେ ବି ପଡିଯାଇପାରେ 

କିଏ ଜାଣେ 

ଏ ଜୀବନର ପରିସମାପ୍ତି କେଉଁଠି, କିପରି, କେତେବେଳେ 

ପୁଣି କେଉଁ ମୁହୂର୍ତ୍ତରେ? 

ଅଦୃଶ୍ୟ ଝଡର କରାଳ ଫୁତ୍କାରରେ 

ପ୍ରାପ୍ତି ଆଉ ସମାପ୍ତିର 

ପୂର୍ଣ୍ଣତା ଆଉ ଅପୂର୍ଣ୍ଣତାର କଥା ସବୁକୁ ଅଗ୍ରାହ୍ୟ କରି 

ଏ ଜୀବନ ପ୍ରଦୀପ କେତେବେଳେ ବି ଲିଭିଯାଇପାରେ 

ଏକ ଦୀର୍ଘ ପୂର୍ଣ୍ଣଛେଦଟିଏ ଆଙ୍କିଦେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract