ଜୀବନର ଅନୂଭୂତି
ଜୀବନର ଅନୂଭୂତି
ପ୍ରଥମ ପ୍ରେମର ବର୍ଷା ଋତୁରେ
ମହକେ କଦମ୍ବ ବାସ
ମନ ମଧ୍ୟେ ଥିବା ଲୁପ୍ତ ପ୍ରତିଭା
ବନେ ଝରା ମଲ୍ଲୀ ହସ ।
ଅଥଳ ସମସ୍ୟା ସାଗର ବୁକୁରେ
କୋହର ଅସଂଖ୍ୟ ଢେଉ
ପ୍ରିୟ ପରିଜନ ଆଘାତେ କେବଳ
ଆଖିରୁ ଝରଇ ଲହୁ ।
ଦୁଃଖ ଦଡମଡି କୋମଳ ମନକୁ
କରିଦେଇଥାଏ ଟାଣ
ଚିନ୍ତା ଖାଇଯାଏ ଶରୀରକୁ ଯେହ୍ନେ
ବାଉଁଶକୁ ଲାଗେ ଘୁଣ ।
ମରୁଭୂମି ପଥେ ମରୀଚିକା ଯାହା
ଜଳାଶୟ ବୋଲି ଭ୍ରମ
ସୁଖ ପଛେ ପଛେ ଦଉଡି ଦଉଡି
ପଥ ଖାଲି ଅତିକ୍ରମ ।
ଆପଣା ଇଚ୍ଛାରେ ଆକାଶ ବୁକୁରେ
ଡେଣା ଝାଡିବାର ସୁଖ
ସୀମା ଟପିଗଲେ ଝଡ଼ ବତାସରେ
ଲୋଟି ପଡ଼ିବା ର ଦୁଃଖ ।
ଭ୍ରମ କୁହୁଡି ରେ ସତ୍ୟାତା ଅଦୃଶ୍ୟ,
ସମପରି ସତ ମିଛ
ସନ୍ଦେହ କଜ୍ଜ୍ୱଳ ଆଖିରେ ପିନ୍ଧିଲେ
କାଞ୍ଚନ ବି ଲାଗେ କାଚ ।
ହାତେ ମାପି କରି ଚାଖଣ୍ଡେ ଚାଲିଲେ
ଆଗକୁ ନଥାଏ ଭୟ
ଅଣ୍ଟି ଛୁରୀ ଯଦି ତଣ୍ଟି ତୋର କାଟେ,
କାହାକୁ ମାଗିବୁ ନ୍ୟାୟ ।
ତାରା ଗଣୁ ଗଣୁ ବିତିଯାଏ ଯାହା
ଅଫେରା ଚାନ୍ଦିନୀ ରାତି,
ପଛରେ ଖୋଜିଲେ ମିଳଇ କି ଆଉ
ଜହ୍ନ ବା ଜହ୍ନର ସ୍ମୃତି ।
ବୃନ୍ଦାବତୀ ଭାବି ପାଣି ଯଦି ଦେବ
ବିଛୁଆତି ମୂଳେ ନିତି
କୁଣ୍ଡେଈ ହୋଇବା ସ୍ୱଭାବ ଯାହାର
ସିଏ କି ହୋଇବ ପଥି ।
ସତ ର ଥାଳିରେ ମିଛ ପରଷନ୍ତି
କେତେ ଯତ୍ନେ କଉଶଳେ
ଯେତେ ଦୃଢ଼ ଭାବେ ମିଛ କହିଲେ ବି
ସତ୍ୟ ଆମ୍ବ କିବା ଫଳେ।
ସରଳ ମନକୁ ସତକୁହା ଓଠ
ଜାଣେନା କପଟ ଛନ୍ଦ
ମିଛ କହୁଥିବା ଓଠ ବାରିପଦାରେ
ସତ ମିଛ ଭଲ ମନ୍ଦ।
