ଜୀବନ ସଙ୍ଗିନୀ
ଜୀବନ ସଙ୍ଗିନୀ
ମିଠା ସପନର
ସାଥି ତୁମେ ମୋର
ସ୍ବପ୍ନପୁରୀର ରୂପବତୀ ନୀଳ ପରୀ,
ପୁନେଇଁ ଜହ୍ନର
ଉତୁରା ଜୋଛନା
ମନ ମନ୍ଦିରର ଶିରୀ ।
ବନ୍ଧୁର ପଥ ର
ସହଯାତ୍ରୀ ମୋର
ବାସ୍ତବ ନିଆଁରେ
ସିଝିଛ ମୋ' ପାଇଁ କେତେ,
ନଭଶ୍ଚୁମ୍ବୀ ନଗ୍ର
ସ୍ବପ୍ନ ଦେଖିନ
ଅଣ୍ଟିରେ ଲୁଚେଇ
ମୋ ଅପାରଗ ପଣ ଯେତେ ।
ପଉଷ ସକାଳ
ଘନ କୁହୁଡ଼ିରେ
ପହିଲି ସୂରୁଜ
ଉଙ୍କି ମାରେ ଯେବେ-
ତୁମ ଭିଜା କପାଳରେ,
ମୋ' ଅଳସ ଆଖି
ଖୋଜେ ତୁମ ଓଠ -
ପଦୁଅଁ ବାସରେ....
ଭିଜି ଯିବା ପାଇଁ ଥରେ ।
ଅଭିଯୋଗ ଭରା
ଦରଖାସ୍ତଟିର
ତିକ୍ତ ଶବ୍ଦାବଳୀ
ଶୁଣାଇନ ଏ ଜୀବନେ,
ମୋ ଜୀବନ
ସାଦା ସଫେଦ କାଗଜେ
ପ୍ରେମ ଗଜଲଟେ
ମୁଦ୍ରିତ ତୁମେ
ଜାଗ୍ରତେ, ଶୟନେ, ସ୍ବପ୍ନେ ।
ନୂପୁର ନିକ୍ବଣେ
ଝରଣା ସଙ୍ଗୀତ
ଚାହାଣିରେ ତୁମ
ହରିଣୀର
ନୀରିହତା,
ବିଶାଳ ସାଗର -
ହୃଦୟବତୀ ଗୋ!
ନୀରବ ଭାଷାରେ
କହୁଥାଅ ମନକଥା ।
ତୁମେ ତ ତ୍ଯାଗର
ପ୍ରତିମୂର୍ତ୍ତିଟିଏ,
ଅପ୍ରକାଶିତ ମୋ
ଆବେଗର ପରିଭାଷା,
ତୁମରି ନାଁ ରେ
ଲେଖା ହୋଇଛି ମୋ
ବାକି ଜୀବନର
ଦିବସ, ନିଶି ବା ଉଷା ।
ସାତ ଜନମର
ସଙ୍ଗିନୀ ତୁମେ ମୋ
ତୁମଠି ଏ ହୃଦ
ଅତୁଟ ଡୋରରେ ବନ୍ଧା,
ତୁମରି ପ୍ରଣୟ
ପୁଷ୍ପ ହାରରେ
ଏଇ ଅକିଞ୍ଚନ
ଚିରକାଳ ଲାଗି ଛନ୍ଦା ।
ବଞ୍ଚିଥିବା ଯାଏ
ତୁମେ ମୋ ଅକୁହା
ସୁଖ, ଦୁଃଖ, କୋହ-
କାହାଣୀର ଗୀତି ରୂପ,
ମଲା ପରେ
ସଂଧ୍ୟା ଆକାଶେ ମୁଁ ତୁମ
ସାଜିବି କାର୍ତ୍ତିକ
ଜଳନ୍ତା ଆକାଶ ଦୀପ ।
ବଧୂ ନୁହେଁ ତୁମେ
ମୋ ପ୍ରାଣ ବାନ୍ଧବୀ
ସର୍ବଗୁଣେ ଅଛ ପୂରି,
ପୁନେଇଁ ଜହ୍ନର
ଉତୁରା ଜୋଛନା
ମନ ମନ୍ଦିରର ଶିରୀ ।