ପ୍ରେମର ଉଛ୍ଵାସ
ପ୍ରେମର ଉଛ୍ଵାସ
ଜୀବନ କୈଶୋର ସୋପାନରେ ଯେବେ
ରଖିଥାଏ ଧିରେ ପାଦ,
କଅଁଳ ମନରେ ଉଙ୍କି ମାରିଥାଏ
ପାଇବାକୁ ପ୍ରୀତି ସ୍ୱାଦ |
ଚହଲା ମନରେ ଚଞ୍ଚଳତା ଭରେ
ମନ ହୁଏ ଆନମନା,
ନିଜର ରୂପକୁ ସଜାଏ ବିଭୋରେ
ଭରି ନା ନା କଳପନା |
ଆଖିରେ କେତେ ଯେ ଭାଷା ଭରିଯାଏ
ଓଠେ ଆସେ ସ୍ମିତ ହାସ୍ୟ,
ପୁଲକିତ ମନ ଦିବସ ସପନେ
ହୋଇଥାଏ ଭାରାକ୍ରାନ୍ତ |
ଚାହାଣିରେ ଥାଏ ଦୁଷ୍ଟାମୀର ଚିହ୍ନ
ଖୋଜିବୁଲେ ସିଏ ପ୍ରେମ,
ଦେଖେ ଲୁଚି ଲୁଚି ଚୁମ୍ବକୀୟ ଶକ୍ତି
ଟାଣିନିଏ ତାର ମନ |
ଶୁଣିବାକୁ ଭଲ ଲାଗେ ଯେ ସଙ୍ଗୀତ
ପ୍ରୀତି ଭରା ଯଦି ଥାଏ,
ପୁଲକିତ ଦେହ ପୁଲକିତ ମନ
ଅଧୀରେ ଯେ ନାଚୁଥାଏ |
ବଗିଚାର ଫୁଲ ଭାରି ଭଲ ଲାଗେ
ମନେ ଭାବାନ୍ତର ଆସେ,
ନୂଆ ଅନୁଭବ ଜାଗେ ତା ଅନ୍ତରେ
ଯାହା ଆଖିଆଗେ ଭାସେ |
ଅନ୍ୟମନସ୍କତା ଆସିଥାଏ ସଦା
ସୁନ୍ଦରତା ଖୋଜିବୁଲେ,
ସୁନ୍ଦର ତନୁରେ ଆଖି ଲାଖିଯାଏ
ହୃଦୟରେ ସ୍ବପ୍ନ ତୋଳେ |
ପ୍ରକୃତିର ଶୋଭା ମନେ ଭରେ ପ୍ରୀତି
ଅସ୍ଥିର ହୁଅଇ ମନ,
ଅଧୀରେ ବିଭୋରେ ନୂଆ ଶିହରଣ
ଅନୁଭବେ ସତେ ପ୍ରାଣ |
ଏମିତି ସମୟ ଆସେ ଜୀବନରେ
ତାରୁଣ୍ୟର ଅନ୍ତରାଳେ,
ନୂଆ ପ୍ରୀତିରଙ୍ଗ ଲାଗିଯାଏ ମନେ
ଦେହେ ଶିହରଣ ଖେଳେ ||

