ନିଃଶବ୍ଦ ଓଁକାର
ନିଃଶବ୍ଦ ଓଁକାର
ଖାଉ ଖାଉ ଯେବେ କଳ କାମୁଡିବ
ପିଉ ପିଉ ଯେବେ ଜିଭ ଛନ୍ଦିଯିବ
ଭାବିନେବ ମନେ ମନେ
ଜାଣିଯିବ ଗୋପତେ ଗୋପନେ
ମନେ ପକଉଛି ବୋଧେ
ଆପଣାର କେହି ଜଣେ ।
ଲେଖୁ ଲେଖୁ ଯେବେ କଲମ ଅଟକିବ
କହୁ କହୁ ଯେବେ ଅତୀତ ହାବୁଡ଼ିବ
ଭାବି ନେବ ମନେ ମନେ
ଶୁଣା ଯିବ କାନେ କାନେ
ତୁମକୁ ନେଇ କେହି
ଭାଳି ହେଉଛି କି ଗୋପନେ ସପନେ ।
ଚାଲୁ ଚାଲୁ ଯେବେ ପାଦ ଛନ୍ଦିଯିବ
ଗାଉ ଗାଉ ଯେବେ ହସ ଆସିଯିବ
ଭାବି ନେବ ମନେ ମନେ
ଝୁରୁଛି ତୁମକୁ କେହି ଜଣେ
ଦୂରରେ ଥିଲେ ବି
ଜାଣିଯିବ ତୁମେ ଦିନେ ନା ଦିନେ ।
ଚିତ୍ର ଆଙ୍କୁ ଆଙ୍କୁ ଯେବେ ହେବ ଆନମନା
ଫୁଲ ତୋଳୁ ତୋଳୁ ଯେବେ ରଙ୍ଗୀନ ଭାବନା
ଭାବି ଦେବ ମନେ ମନେ
ମନେ ପକଉଛି କେହି ଜଣେ
ଅଦୃଶ୍ୟ ହେଲେ ବି
ଆପଣାର ମଣଇ ଆନନେ କାନନେ ।
ଗୀତ ଶୁଣୁ ଶୁଣୁ ଯେବେ ନିଜେ ଗାଇଯିବ
ଚିତ୍ର ଦେଖୁ ଦେଖୁ ଯେବେ ନିଜେ ଦିଶିଯିବ
ଭାବି ଦେବ ମନେ ମନେ
ବହୁତ ଭାବୁଛି ନିଜର ଜଣେ
ନାଁ ସିନା ଜାଣିନାହିଁ
ଝଡ଼ ଘନ ଘନ କିନ୍ତୁ ଅନ୍ତର ଗଗନେ ।
ଛିଙ୍କ ଆସୁ ଆସୁ ଯଦି ଫୁସୁକି ଯିବ
ହାଇ ମାରୁ ମାରୁ ଯଦି ଅଟକି ଯିବ
ଭାବି ନେବ ମନେ ମନେ
ଗଣ୍ଠି ପକେଇବ ସେ ଦିନେ
ତୁମକୁ ଝୁରୁଛି ଖୋଜୁଛି
ନିଃଶବ୍ଦ ଓଁକାର ଧ୍ଵନିରେ କେହି ଜଣେ ।