ଜୀବନ ପରେ ବି
ଜୀବନ ପରେ ବି
ମୁଁ ତୁମ ସହ ନିଶ୍ଚୟ ଭେଟିବି
ସେଇ ଅଦୃଶ୍ୟ ମାର୍ଗରେ
ପାହି ଆସୁଥିବା ସକାଳ ରେ
ଯେଉଁଠି ସମୟର ଜ୍ଞାନ ନ ଥିବ ।
ସବୁକିଛି ଅପୂର୍ବ ଲାଗୁଥିବ
ଘସାପିଟା ଜୀବନଚର୍ଯ୍ୟା ଠୁ
ଅନେକ ଭିନ୍ନ.........
ନିରବ ଆଶ୍ରୟଟେ ଯେମିତି
ମେଘଭର୍ତ୍ତି ଆକାଶର ତଳେ ।
ମୁଁ ଜାଣିଛି ତୁମେ ନିଶ୍ଚୟ ଆସିବ
ଏ ଜନ୍ମର ବିଶ୍ୱାସରେ ,
ମୋ ସମର୍ପଣର ଭରସାକୁ
ଦାଉରେ ଲଗାଇ........
ଜୀବନ ଆଉ ମୃତ୍ୟୁର
ଖୋଲା ରାସ୍ତାରେ
ଚିମୁଟାଏ ଖୁସି ପାଇଁ
ନିଶ୍ଵାସର ଭାରି ପଣ
ଯେଉଁଠି ବାରି ହେଉ ନଥିବ ।
ମୋ ହସର ମନଛୁଆଁ ସ୍ପର୍ଶରେ
ଉନ୍ମାଦର ଅଭିସନ୍ଧିଟିଏ ଖୋଜିବାକୁ
ତୁମକୁ କେତେ ଯୁଗ ବା ଲାଗିବ
ତେବେ ବି ତୁମଠୁ ମୋର
କିଛି ଆଶା..ଅଜଣାରେ ।
ସେଇ ଶତାବ୍ଦୀର ଇତିହାସ
ତୁମର ସବୁଦିନିଆ କଥାରେ
ଜଷ୍ଟ ପାଞ୍ଚ ମିନିଟ୍ ......
ହେଇ ଗଲି ଆଉ ଆସିଲି
ଅପେକ୍ଷା ତ ଆୟୁତ ଯୁଗର ।
ମୋ ଅଭିମାନରେ ସବୁରୀର
ଆୟତନ କେତେ ଯେ ସୀମା
ଲଙ୍ଘନ କରିଛି,
ତୁମେ କେମିତି ବି ବୁଝିବ
ତେବେବି,
ଝୁକି ଯାଉଥିବା ଆଖିର
ଦୀର୍ଘତା ମାପି ବାରେ
ମାପ କାଠି ବି ନଥାଏ
ସ୍ବପ୍ନ ମାନେ ଯେ ଅସଂଖ୍ୟ ଥାଆନ୍ତି ।
ଯେଉଁ ଅନ୍ଧକାରରେ
ଘନନୀଳର ଭାବ ଥାଏ
ସେ ଭାବଧାରାର ପୂର୍ଣ୍ଣତାରେ
କେଉଁ ଦୁଷ୍ଟାମୀର ଅପେକ୍ଷା
ସେଇ ନିଧିବନର ଆଦେଖା ପ୍ରହରକୁ
ଝୁରୁଥାଏ ।
ମୁଁ ଜାଣିଛି,
ମୁଁ ତୁମସହ ନିଶ୍ଚୟ ଭେଟିବି
ବାକି ଜନ୍ମର ଅଧ୍ୟାୟଟିଏ
ରଚିବାକୁ,
ଉଆଁସୀ ରାତ୍ରିରେ ଭୟକୁ
ଆଖିଠାର ମାରି
ତୁମ ସହ ଚାଲିବାକୁ ।
ଜୀବନ ଆଉ କିଛି ନୁହେଁ
ଦୁଇ ଅକ୍ଷରର ବାଲିବନ୍ଧଟିଏ ଟାଣିବାକୁ
ଜୀବନରେ ବି
ଜୀବନ ପରେ ବି............ ।