ଜୀବନ ଓ ଜୀବନଦାତା
ଜୀବନ ଓ ଜୀବନଦାତା
ଦିନ ପରେ ରାତି ନିତି ଆସେ ସିନା
କେ କାହାର ଅପେକ୍ଷା ରଖେନା,
ଫୁଲ ଫୁଟି ଚହଟାଏ ଵାସ କିନ୍ତୁ
ପଵନକୁ ଅପେକ୍ଷା କରେନା ।
ସମୁଦ୍ରର ଢେଉ ଆସି ଫେରୁଥାଏ
ବେଳାଭୂମି ହିସାବ ରଖେନା,
ସମୁଦ୍ରକୁ ଦେଖୁଥାଏ ସବୁବେଳେ
ତାକୁ ଛାଡି ଯାଇ ଵି ପାରେନା ।
ପଡିଉଠି ଜୀବନଵି ଧାଉଁଥାଏ
କାହାରିକୁ ଅପେକ୍ଷା କରେନା,
କେତେବେଳେ କିଏ ଆସେ କିଏ ଫେରେ
କିଏ ପୁଣି କରେ ଆନମନା ।
ଜନ୍ମ, ମୃତ୍ୟୁ, ଜରା, ବ୍ୟାଧି ଆସେ ସିନା
ସମୟତ ଅପେକ୍ଷା କରେନା,
ସରିଛି ବା ବାକୀଅଛି କାମ କିଛି
ସେଥିରେ ସେ ମୁଣ୍ଡ ପୁରାଏନା ।
ମାଟିଘଟ ଛାଡ଼ିଦେଇ ଉଡିଯାଏ
ପ୍ରାଣପକ୍ଷୀ ପଛକୁ ଚାହେଁନା,
ମମତାର ସବୁଡୋରି ଅବେଳରେ
ଛିଣ୍ଡିଯାଏ - ବନ୍ଧନ ମାନେନା ।
ଜୀବନତ ଦି ଦିନିଆ ଖେଳଘର
କିଛି ମିଳେ କିଛି ମିଳେନାହିଁ,
ପ୍ରାପ୍ତି ଅପ୍ରାପ୍ତି ଭିତରେ ଚମତ୍କାର
ଏ ଜୀବନ ତା' ତୁଳନା କାହିଁ ।
ଵିଭୂଙ୍କ ଦାନ ଜୀବନ ଦାତା ସିଏ
ଧରିଥାନ୍ତି ସଭିଙ୍କର ଡୋରି,
ସଭିଙ୍କୁ କରନ୍ତି ପ୍ରେମ ଅଦ୍ଭୂତ,
ଅନୁପମ କରୁଣା ତାଙ୍କରି ।
ତାଙ୍କୁ ମୁଁ ପାରେନି ଧରି ଧରିଥାନ୍ତି
ସିଏ ମତେ ପ୍ରତିଟି କ୍ଷଣରେ,
ରାଜାଧିରାଜ ମୋ ପ୍ରଭୂ ଦୀନବନ୍ଧୁ
ମୁଁ ଯେ ଋଣୀ ସବୁ ଜନମରେ ।
