ଜୀବନ କି ଅଭିଶପ୍ତ
ଜୀବନ କି ଅଭିଶପ୍ତ
ନାରୀଟିଏ ରୂପେ ଜନମ ଲଭିଲି
ଜୀବନ କି ଅଭିଶପ୍ତ
ସମାଜର ରୀତିନୀତି ମାନି ଚଳି
ଆକାଂକ୍ଷାକୁ କଲି ସୁପ୍ତ ।
ବାପଘରେ ସାଜି ଲକ୍ଷ୍ମୀପ୍ରତିମା ଯେ
ସାଉଁଟିଲି ହସଖୁସି
ବାଳୁତ କାଳରୁ ଯଉବନ ଯାଏଁ
ମିଠା ମିଠା କଥା ଭାସି ।
ବାପାମାଆ ତାଙ୍କ କର୍ତ୍ତବ୍ୟ କରିଲେ
ଦୁନିଆର ବଡ଼ଦାଣ୍ଡେ
କନ୍ୟାଦାନ କରି ପୂଣ୍ୟର ପସରା
ବୋହିବାକୁ ତାଙ୍କ ମୁଣ୍ଡେ ।
ଭଲ ଘର ଭଲ ବର ଖୋଜିଦେଲେ
ହୋଇଗଲି ପରଧନ
ସିନ୍ଥିରେ ସିନ୍ଦୂର ହାତେ ଶଙ୍ଖାଚୁଡ଼ି
ଖୁସିଥିଲା ମୋର ମନ ।
ମଙ୍ଗଳସୂତ୍ର ସେ ନଥିଲା ବେକରେ
ଥିଲା ଭରସାର ସାକ୍ଷୀ
ପରକୁ ଆପଣା ମଣିବା ନିମନ୍ତେ
ସ୍ୱପ୍ନ ଦେଖିଥିଲା ଆଖି ।
ନିୟତିର ନୀତି ସାଜିଲାକି ବାମ
ହରାଇଲି ସୁଖଶାନ୍ତି
ସ୍ୱାର୍ଥର ସହରେ ଅମୂଲ୍ୟ ପ୍ରେମ ତ
ପାରିଲିନି ମୁହିଁ ଜିତି ।
ନାରୀର ଅମୂଲ୍ୟ ସମ୍ପଦ ସିନ୍ଦୂର
ସାଜିଲା ମୋ ପାଇଁ ବେଡି
ଛଳନା ବାଆରେ ଭରସାର ଡୋର
ଲୁହଧାରେ ଗଲା ଛିଡି ।
ଶାଶୂଘର ହେଲା ମୋ ପାଇଁ ପଞ୍ଜୁରୀ
ମୁଁ ଅବା ବନ୍ଦିନୀ ଶୁକ
ସ୍ୱାଧୀନତା ପାଇଁ ଚାହିଁ ରହିଅଛି
ଆଲୋଡିତ ମୋର ବକ୍ଷ ।
ଜୀବନେ ସଞ୍ଚିତ ସବୁ କିଛି ଅର୍ଥ
ଲୁଟିଦେଲେ ବାପାମାଆ
ଆନନ୍ଦ ଉଲ୍ଲାସେ ବାହିଯିବିବୋଲି
ସମ୍ପର୍କର ଟିକି ନାଆ ।
ଯଉତୁକ ଲୋଭୀ ଦାନବ ହାତରେ
ଶିକାର ହୋଇଲି ମୁହିଁ
ଆଶା ମଉଳିଲା ନିରାଶ ପଥରେ
ଥଳକୂଳ ପାଉନାହିଁ ।
ଶରୀରେ ଆଘାତ ଲାଗିଛି କିଞ୍ଚିତ
ଅବ୍ୟକ୍ତ ହୃଦୟ ଜ୍ୱାଳା
ଯନ୍ତ୍ରଣା ଜୁଇରେ ଜୀବନ୍ତ ଜଳୁଛି
କାହାକୁ କହିବି ଭଲା ?
ସହିବାର ସୀମା ଟପିଲାଣି ପ୍ରାଣ
ହଜିଲାଣି ମୋର ବୁଦ୍ଧି
ବନ୍ଧନରୁ ମୁକ୍ତ ଚାହିଁଲାଣି ଚିତ୍ତ
ସାହା ହୁଅ କୃପାନିଧି ।