ଜୀବନ ହିତ ବାଣୀ
ଜୀବନ ହିତ ବାଣୀ
ଏ ସ୍ଥୁଳ ସଂସାରେ ନିମିତ୍ତ ଶରୀରେ
ଜୀବନେ ଯେତେକ ତିଷ୍ଠି
କ୍ଷିତି, ଅମ୍ବୁ, ତେଜ, ଅମ୍ବର, ମରୁତ
ପଞ୍ଚ ମହାଭୂତେ ସୃଷ୍ଟି ।
ରହିଛି ଜୀବିତ ଏ ଜୀବଜଗତ
ପୋଷଣ ମୂଳ ଆଧାର
ଆହାର ବିହୁନେ ଅକାଳ ମରଣ
ପଞ୍ଚତତ୍ତ୍ୱର ଶରୀର ।
ସୁପ୍ତ ସିଂହ ମୁଖେ ଆହାର ନ ପଶେ
ହେଲେ ଯେଡ଼େ ବଳବାନ
କରମ ବିମୁଖୀ ହୁଏ ସଦା ଦୁଃଖୀ
ଜୁଟେ ନାହିଁ ସୁଖ ଅନ୍ନ ।
ପେଟ,ପାଟି ଦେଇ ବିଧାତା ଗଢ଼ିଛି
ଖଞ୍ଜିଣ ଖାଦ୍ୟ ଭଣ୍ଡାର
ହାତ,ପାଦ,ମଥା, ବୁଦ୍ଧି ସାମରଥା
କର୍ମ କରିବାକୁ ତାର ।
ପେଟ ପାଇଁ ନାଟ ଉପାର୍ଜନ ବାଟ
କୁଟୁମ୍ବ ପୋଷିବା ପାଇଁ
କୃଷି କର୍ମ, ରାଜ ଦପ୍ତର, ବଣିଜ
କୌଳିକ ସେବା ଯୋଗାଇ ।
କର୍ମ ହିଁ ପ୍ରଧାନ କର୍ମ ଭଗବାନ
କର୍ମ ଥାଉ ସତ୍ୟ ପଥେ
ଅପକର୍ମେ ଧନ ଯେତେ ଅରଜନ
ନଥିବ ସୁଖ ସଙ୍ଗତେ ।
ବନ୍ଧ୍ୟାବିଲ ବକ୍ଷେ ସୁନା ଫୁଲ ହସେ
ଚାଷୀ ମନ ଦେଲେ ଚାଷେ
ଧୀବର ଧରଇ ଧ୍ୟାନ ରଖି ମୀନେ
କଳାକାର କଳା ରସେ ।
କଉଳିକ ବୃତ୍ତି ନିଅଣ୍ଟିଆ ବେଠି
ମହରଗ ହେଲା କାଳ
ବୈଷୟିକ ଜ୍ଞାନ ଦକ୍ଷତା ନିପୁଣ
ଜଗତିକରଣ ବେଳ ।
ଜୀବନ ରହିଲେ ଜୀବିକା ରହିବ
ଜୀବିକା ଥିଲେ ଜୀବନ
ନଖକୁ ମାଉଁସ ସମ୍ପର୍କ ବିଶେଷ
ଉଭୟ ଯେ ମୂଲ୍ୟବାନ |
