ଜୀବନ ଦୋଳି
ଜୀବନ ଦୋଳି
ସମୟ ଚକର ଘୂରୁଛି ଲୋ ସଖି
ମହାକାଳ ଗତି ପଥେ
ଜୀବନ ଦୋଳି ତ ଝୁଲୁ ଥାଏ ନିତି
ନ ଅଟକି କାହା ସାଥେ।
ଦୋଳି ଝୁଲୁଥାଏ ସୁଖ ଦୁଃଖ ନେଇ
ଅଭାବ କଷଣ ଯେତେ
ଦିନ ପରେ ରାତି ଋତୁ ଅନୁଯାୟୀ
ଜଣା ତ ପଡ଼ଇ ପ୍ରତେ।
ଅଭିମାନୀ ଗର୍ବୀ ଧୋକା ପାଉଛି ଲୋ
ଦୋଳି ତ ଛିଣ୍ଡି ପଡ଼ଇ
ସରଳ ମହତ ଉଦାର ହୃଦୟ
ଦୋଳି ପରେ ଝୁଲୁ ଥାଇ।
ଏସବୁ ଅଟଇ ଦଇବ ବିଧାନ
ଜୀବନ ଦୋଳିର ଖେଳ
ଛାଇ ପରେ ଖରା ଆଲୁଅ ଅନ୍ଧାର
ସରି ଯାଏ କେବେ ବେଳ।
ବେଳ ଥାଉ ଥାଉ ଧରମ ଅର୍ଜ୍ଜନ
କର ହେ ମଣିଷ ଭାଇ
ଜୀବନର ଦୋଳି ମଜଭୁତ ହେବ
ସହଜେ ଛିଣ୍ଡିବ ନାହିଁ।
କାଳିଆ ସାଆନ୍ତ ଜୀବନ ଦୋଳିର
ହେଉଛନ୍ତି ସର୍ବକର୍ତ୍ତା
ଉତ୍ତମ କରମେ ସୁଖରେ ବଞ୍ଚିବା
ପରଶନ୍ତି ଏହି ବାର୍ତ୍ତା।
ନ ମାନିଲେ କଥା ପାଇବୁ ଲୋ ବ୍ୟଥା
ଏକଥା କୁ ହେଜ ନିତି
ଜୀବନ ଦୋଳି ରେ ଆନନ୍ଦେ ଝୁଲିବୁ
ପାହି ଯିବ କାଳ ରାତି।
