ଥା'ନ୍ତା ଯଦି ଭଲ ପାଇବାର ଏକକ
ଥା'ନ୍ତା ଯଦି ଭଲ ପାଇବାର ଏକକ
ଥା'ନ୍ତା ଯଦି ଭଲ ପାଇବାର ଏକକ
ସହଜ ସୁବିଧାରେ ସଠିକ୍
ନିର୍ଣ୍ଣୟ କରି ହୁଅନ୍ତା ତା'ର ପରିମାଣ
ଶଙ୍କା ସନ୍ଦେହ ଅବିଶ୍ବାସ ଆଉ
କେବେ ରହିନଥାନ୍ତା କାହାରି ମନରେ
ତାହା ହୋଇଥାନ୍ତା ପ୍ରେମର ପ୍ରମାଣ
ଦେଖିହୁଏନା ତ ହୃଦୟର ଭଲ ପାଇବା
ଜାଣି ବି ହୁଏ ଅନ୍ତରର ଭାବ ଭାବନା
ପ୍ରେମୀ ଯୁଗଳ କୁହନ୍ତି କଥାରେ କଥାରେ
" ମୁଁ ତୁମକୁ ଭଲପାଏ " ବହୁତ
କିଏ କହେ ତା' ଭଲ ପାଇବା
ଆକାଶ ସମୁଦ୍ର ପରି ଅସୀମ ନାହିଁ ଅନ୍ତ
କିଏ ପୁଣି କହେ ଅକଳନ ଅମାପ
ପ୍ରେମ ତା'ର ଚିରନ୍ତନ ଅମର ଶାଶ୍ଵତ
ଭଲ ପାଇବା ତା'ର ଚିର ସବୁଜ ସୁନ୍ଦର
ଅଛି ରହିବ ଯୁଗ ଯୁଗ ପର୍ଯ୍ୟନ୍ତ
ଏ ପ୍ରେମ ହୁଅନ୍ତା ସରଳ ପ୍ରାଞ୍ଜଳ ମଧୁର
ଥା'ନ୍ତା ଯଦି ଭଲ ପାଇବାର ଏକକ।
କିଏ କହେ ଦେଖାଇ ଦେବ ଛାତି ଚିରି
ଆଉ କିଏ କହେ ହୃଦୟେ ଲେଖିଛି ନାଆଁ
କଥାରେ ମଜାଇ ନିଏ ଆକର୍ଷି
ଜଣେ ଜଣକୁ ଦିଏ ମନ ପ୍ରାଣ ସମର୍ପି
ଏକାକାର ହୁଅନ୍ତି ଦୁଇଟି ଆତ୍ମା
ପ୍ରେମର ଅମୀୟ ଧାରା ପଡୁଥାଏ ବରଷି
କଥାର ମହତ୍ତ୍ଵ ଗୁରୁତ୍ଵ କେତେ
ବୁଝିହୁଏ ଜୀବନରେ ଆସିଲେ କିଛି ମୋଡ଼
ଦେଖି ଜଣକର ଦାୟିତ୍ଵ କର୍ତ୍ତବ୍ୟ
ହସରେ ଯିଏ ହସୁଥିଲା ମନ ଖୋଲି
ଲୁହରେ ସେ ଅଛି କି ସବୁ ଦୁଃଖ ଯନ୍ତ୍ରଣା ସହି
ସଫଳ କରିଛି କି ଥିଲା ଯା' ସମ୍ଭାବ୍ୟ
ନିଷ୍ଠୁର ବାସ୍ତବତାକୁ ପାରିଛି କି ସାମ୍ନା କରି
ଘଡି଼ସନ୍ଧି ମୁହୂର୍ତ୍ତରେ ଜୁଝି ଜୀବନ ଯୁଦ୍ଧ
ରହିଛି କି ସାଥୀରେ କରି ସେବା ଯତ୍ନ ତ୍ୟାଗ
ନା' ସାଜିଛି ସେ ସ୍ୱାର୍ଥପର ପଳାତକ
ପଡ଼ିଯାଏ ସବୁ ଜଣା ଖୋଲିଯାଏ ମୁଖା
କରି ଚାଲିଥିଲା ଛଳନାରେ ସେ ମିଛ ଅଭିନୟ
କଥାରେ ଥିଲା କେବଳ ଭୁଲାଇବାର କୌଶଳ
ରଚିବାକୁ ଏକ କାଳ୍ପନିକ ନାଟକ
ସବୁକିଛି ଅନୁଭବ ହୁଅନ୍ତା ବହୁ ପୂର୍ବରୁ
ଥା'ନ୍ତା ଯଦି ଭଲ ପାଇବାର ଏକକ।
ପ୍ରେମରେ ଚାଲେ କେତେ ସଂଘର୍ଷ ହୁଏ ଅନର୍ଥ
ବାଦ ବିବାଦ ପ୍ରବଞ୍ଚନା ପ୍ରତାରଣା
କରେ କିଏ ପ୍ରତିହିଂସା ନିଏ କିଏ ପ୍ରତିଶୋଧ
ବିଶ୍ଵାସ ବିଷରେ ହୁଏ ରୂପାନ୍ତର
ରହେ ଖାଲି ଅନ୍ତରରେ ଦ୍ଵନ୍ଦ ଅବଶୋଷ
ହୁଏନାହିଁ ଶାନ୍ତି ସନ୍ତୋଷରେ ମନବୋଧ
ବଦଳିଯାଏ ପ୍ରେମର ପରିଭାଷା
ଆଶା ସବୁ ହରାଇ ଭୋଗିବାକୁ ହୁଏ ଦୁର୍ଦ୍ଦଶା
ରହେ ନାହିଁ କାହାରି ଉପରେ ଭରସା
ସଂପର୍କ ତୁଟେ ହୋଇଥିଲେ ବି ରାଜଯୋଟକ
ଜୀବନ କାହାରି ହୁଅନ୍ତାନି ବ୍ୟର୍ଥ
ଜାଣି ବୁଝି କରିଥାନ୍ତା ଅନାବିଳ ପବିତ୍ର ପ୍ରେମ
ଥା'ନ୍ତା ଯଦି ଭଲ ପାଇବାର ଏକକ।

