ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ତୀରେ
ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ତୀରେ
ଚନ୍ଦନ ଯାତ୍ରା ରେ କେତେ ମଉଜ ରେ
ଚାଲ ହେ ଦେଖିବା ଚାଲ ସେ ଠାରେ ।
ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ତୀରେ
ଚାପ ଖେଳୁ ଛନ୍ତି କଳା ଠାକୁରେ ।
ଚଳେ ପୁଷ୍କରିଣୀ ରେ ଚାପଖେଳ
ଚହଲି ଚହଲି କେଡେ ଚଞ୍ଚଳ ।
ଚଳୁ ଅଛି ନାବ ସରସୀ ଜଳେ
ଚନ୍ଦନ ସୁଗନ୍ଧ ଚୌଦିଗେ ଖେଳେ ।
ଚନ୍ଦନ ପୂର୍ଣ୍ଣିମା ଆସିଛି ଆଜି
ଚିତ୍ତେ ଭରେ ନବ ଆବେଗ ରାଜି ।
ଚହଲି ଉଠଇ ମନ ଆନନ୍ଦେ
ଚାଲ ହେ ଦେଖିବା ଯାତ ନରେନ୍ଦ୍ରେ ।
ଚମ୍ପା , କୃଷ୍ଣ ଚୁଡା ମଧୁର ଗନ୍ଧ
ଚହଟି ଚୌଡିଗେ ଭରେ ସୌଗନ୍ଧ ।
ଚାମର ଚାଳନ ତୁହା କୁ ତୁହା
ଚନ୍ଦ୍ର କିରଣ ରେ ଦିଶେ କି ଶୋଭା ।
ଚୁଆ ଚନ୍ଦନ କର୍ପୂର କୁ ବୋଳି
ଚକା ଆଖି କରେ ସେ ନାବ କେଳି ।
ଚାରି ଦେବୀ ନନ୍ଦା , ଭଦ୍ରା , ଭୂଦେବୀ
ଚାରୁ ଚାପେ ବିଜେ ଦେଖ ଶ୍ରୀ ଦେବୀ ।
ଚାପେ ବିଜୟ ମଦନ ମୋହନ
ଚାରୁ ଚନ୍ଦ୍ରlତପେ ଦିଶେ ଶୋଭନ ।
ଚଳ ଲୋଳ ନାବ ଦେଖ ଦୂରରୁ
ଚାରୁ ଦୀପ ଦଣ୍ଡି ପ୍ରାୟ ସୁଚାରୁ ।
ଚାହିଁ ଭ୍ରମ ଆସେ ଜନ ମନ ରେ
ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ତୀରେ ।
ଚାହିଁ ରହି ଥାନ୍ତି ଭକତେ ନିତି
ଚହଟେ ଚନ୍ଦନ ସୁବାସ ଅତି ।
ଚମତ୍କାର ଭାବ ଜାଗେ ମନ ରେ
ଚକା ଆଖି ଚଳେ ନାବ କେଳି ରେ ।
ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ତୀରେ
ଚାଲ ହେ ଦେଖିବା ମନ ଖୁସି ରେ ।
ଚଳଛକ୍ତି ରହିତ ସେ କାଳିଆ
ଚନ୍ଦନ ଚର୍ଚ୍ଚିତ କେତେ ବଢିଆ ।
ଚଳୁଛି ନାବ ରେ ବସି ଚଞ୍ଚଳ
ଚହଲି ଉଠଇ ନରେନ୍ଦ୍ର ଜଳ ।
ଚହଳ ଶୁଭଇ ତୂରୀ , ଭେରି ର
ଚଉଦଳ ଝlଞ୍ଜ ଘଣ୍ଟ ମର୍ଧଳ ।
ଚାଲେ ବାଦ୍ୟ ନାଦ ନାନା ପ୍ରକାର
ଚମକାଏ ଶଙ୍ଖ ଧ୍ୱନି ର ତାଳ ।
ଚାରୁ ବେଶେ ସୁସର୍ଜିତ ସକଳ
ଚାପ ଖେଳୁ ଥାନ୍ତି ନରେନ୍ଦ୍ର କୂଳ ।
ଚାଲିବ ଏ ଯାତ ତିନି ସପ୍ତାହ
ଚାଲ ହେ ଦେଖିବା ଧରି ଉତ୍ସାହ ।
ଚକା ଆଖିଆ କୁ କରି ଦର୍ଶନ
ଚରିତାର୍ଥ ହେବ ମନ ନୟନ ।
