STORYMIRROR

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ସୁନା ଭାଇ ହାତେ ସୁନେଲି ରାକ୍ଷୀ

ସୁନା ଭାଇ ହାତେ ସୁନେଲି ରାକ୍ଷୀ

1 min
161

    

ହସି ଉଠା ନାଲି ସୂରୁଜ ଦେଖି

           ମନ ଉଚ୍ଛନ୍ନ ଅପଲକ ଆଖି,

ବାନ୍ଧି ଦିଏ ଆଶା ଭରସା ରଖି

       ସୁନା ଭାଇ ହାତେ ସୁନେଲି ରାକ୍ଷୀ।

ଭାଇ ମୋର ଭାରି ଶରଧା କରି

        ସବୁ ଦିଏ ମୋତେ ଭାବି ଜରୁରୀ,

ତା' ପାଇଁ ଅଟେ ମୁଁ ସରଗ ପରୀ

          ଆଣି ଦିଏ ଜହ୍ନ ଆକାଶୁ ଧରି।

ବାନ୍ଧି ଦିଏ.................

ସୁନା ଭାଇ ହାତେ ସୁନେଲି ରାକ୍ଷୀ,

ଭାଇ ଭଉଣୀର ଗୋଟିଏ ମନ

         ବାପା ମାଆଙ୍କର ରଖୁ ସମ୍ମାନ,

ରାଗି ରୁଷି କଲେ ମୁଁ ଅଭିମାନ

       ଭାଇ ଭାଙ୍ଗି ଦିଏ ମୋ ମିଛ ଟାଣ।

ଆଖିରେ ଆଖିଏ ଭରି ସପନ

          କଥା ଦିଏ ସେ କରିବ ପୂରଣ,

ଭାଇ ଅଟେ ମୋର ଜୀବ ଜୀବନ 

         ତା' ପାଇଁ ମୁଁ ପରା ମଣିକାଞ୍ଚନ।

ବାନ୍ଧି ଦିଏ........................

ସୁନା ଭାଇ ହାତେ ସୁନେଲି ରାକ୍ଷୀ,

ବାନ୍ଧି ଦେଲେ ରାକ୍ଷୀ ହାତରେ ତାର

           ଦିଏ ମନ ପସନ୍ଦ ଉପହାର,

ସଂପର୍କ ଆମର ଅମ୍ଳାନ ଚିର

          ପବିତ୍ର ନିବିଡ଼ ଭାରି ସୁନ୍ଦର।

ଦେଖି ମୋ ଲୁହ ପାରେନା ସେ ସହି 

        ଭୁଲାଇ ଦିଏ ମୋତେ ଗପ କହି,

ତା' ସେନେହରେ ନିଏ ମନ ମୋହି

        ଶୁଭ ମନାସେ ମୁଁ ଉପାସେ ରହି।

ବାନ୍ଧି ଦିଏ ...................

ସୁନା ଭାଇ ହାତେ ସୁନେଲି ରାକ୍ଷୀ,

ସଂପର୍କ ଆମର ଏମିତି ଥାଉ

         ହସ ଖୁସିରେ ଦିନ ବିତି ଯାଉ,

ବେଶି କିଛି ମୁଁ ଖୋଜେ ନା ଆଉ

        ଏ ସପନ ମୋର ପୂରଣ ହେଉ।

ରାକ୍ଷୀ ବାନ୍ଧି ଜଗା ବଳିଆ ହାତେ 

        ମା' ସୁଭଦ୍ରା ଖୁସି ଅଛନ୍ତି କେତେ, 

ଯଶ ରଖିଛନ୍ତି ସାରା ଜଗତେ

         ଆଶିଷ ତାଙ୍କର ମିଳୁ କିଞ୍ଚିତେ।

ବାନ୍ଧି ଦିଏ.......................

ସୁନା ଭାଇ ହାତେ ସୁନେଲି ରାକ୍ଷୀ,

ପ୍ରାର୍ଥନା କରେ ଠାକୁରଙ୍କୁ ଡାକି

          ସଂପର୍କ ଆମ ନରହୁ ଅଟକି,

ଏଇ ରାକ୍ଷୀ ଥାଉ ଆମର ସାକ୍ଷୀ

         ଜୀବନର ଫୁଲ ଉଠୁ ମହକି।

ଆମ ଗୌରବ ସଂସ୍କାର ସଂସ୍କୃତି 

         ଚଲାପଥେ ଆଣୁ ଆମ ପ୍ରଗତି,

ସଦା ହସୁଥାଉ ଓଡି଼ଆ ଜାତି

        ଭାଇ ଶ୍ରଦ୍ଧା ରହୁ ଭଉଣୀ ପ୍ରତି।

ବାନ୍ଧି ଦିଏ......................... 

ସୁନା ଭାଇ ହାତେ ସୁନେଲି ରାକ୍ଷୀ...,

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract