ସପନର ଦୁନିଆରେ
ସପନର ଦୁନିଆରେ
ଭାବିଥିଲି ମନେ
ହଜେଇ ଦେବିନି
ଜୀବନ ପଥରେ କିଛି
କେମିତି କେଜାଣି
ହଜିଗଲା କାହିଁ
ସପନର ମହୁମାଛି ।
ଉଡିଗଲା କି ସେ
କେଉଁ ଉପବନେ
ସୁଗନ୍ଧର ସମ୍ମୋହନେ
ଭୁଲିଗଲା ପ୍ରୀତି
ସ୍ମୃତି ଅନୁଭୂତି
ରୁଷିଲା କି ଅଭିମାନେ ।
ହୃଦ ଉପବନ
ଲାଗେ ବାସହୀନ
ଶୁଷ୍କ ମନ ପାରିଜାତ
ଝୁରେ ମଧୁବନ
ହୃଦ କୁଞ୍ଜବନ
ଗାଏ ବିରହ ସଙ୍ଗୀତ ।
ଶୁଭେନାହିଁ ଆଉ
ଗୁଣୁ ଗୁଣୁ ତାର
ପ୍ରଣୟର ମଧୁଗୀତି
p>
ନୀରବ ନିଶ୍ଚଳ
ମୋ ଭାବ ଦୁନିଆ
ଝରେନାହିଁ ମିଠା ପଂକ୍ତି ।
ଉଇଁଗଲା ବୋଧେ
ଆଉ କା ଆକାଶେ
ଚାନ୍ଦ ସାଜି ହୃଦୟର
ଭିଜିଗଲା ବୋଧେ
ମଧୁ ଜୋଛନାରେ
ରଚି ରଙ୍ଗ ଅଭିସାର ।
ହାରୁ ହାରୁ କେବେ
ଜିତି ହେଇଯାଏ
ହୃଦୟ ପାରେନି ବୁଝି
ଲୁହ ପୁଣି କେବେ
ଫୁଲ ହୋଇ ଫୁଟେ
ଜୀବନ ସଂଗ୍ରାମେ ଜୁଝି ।
ଅବୁଝା ହୃଦୟ
ଲୁହ ବି ଅବୁଝା
ସପନେ ଅୟୁତ ତୃଷ୍ଣା
ଯେତେ ଦୂରେ ଥିଲେ
ମନ ଜାଣିପାରେ
ସମ୍ପର୍କର ମିଠା ବାସ୍ନା ।