ଆଜିଠାରୁ ହେଲା ଗାଆଁରେ ରାୟ
ଆଜିଠାରୁ ହେଲା ଗାଆଁରେ ରାୟ
ଦାଣ୍ଡେ ଧାଉଁଥିଲା ଧୋବଲା ଷଣ୍ଢ
ଫଁ ଫଁ ଶ୍ୱାସ - ହଲାଇ ମୁଣ୍ଡ ।
ଦୁଇପହରିଆ ଖରାରେ ଯାଇ
ମଖାରୁ ବାଡିରୁ ପରିବା ଖାଇ ।
ଷଣ୍ଢ ଶୋଇଥିଲା ନିଶ୍ଚିନ୍ତ ହୋଇ
ବଗୁଲିଆ ଟୋକା ପହଞ୍ଚି ତହିଁ ।
ଛପି ଛପି ଅତି କଉଶଳରେ
ତାଳ ବରଡାକୁ ଷଣ୍ଢ ଲାଞ୍ଜରେ ।
ବାନ୍ଧି ଦେଇ ଦେଲେ ସେ ତାଳି ମାରି
ଷଣ୍ଢ ଦଉଡିଲା ହୁରୁଡ଼ି କରି ।
ରୂପ ଦେଖି ତା'ର ଲୋକ ଛାନିଆ
ଭୀମା ପହିଲମାନ ଡରନ୍ତା କିଆଁ !
ସାହସ କରିକି ସାମନାରୁ ଆସି
ହାତେ ଷଣ୍ଢ ଶିଙ୍ଗ ଧରିଲା କଷି ।
ଆଉ କିଛି ଲୋକ ସାହାଯ୍ୟ କଲେ
ଷଣ୍ଢ ଲାଞ୍ଜୁ ବର୍ଡା ଫିଟାଇ ଦେଲେ ।
ଚଗଲା ପିଲାଙ୍କୁ କରିଲେ ଗାଳି
ପ୍ରାଣୀଟିଏ ସିଏ ନ ଥିଲ ଭାଳି ।
ଆମ ଭଳି ତା'ର ରହିଛି ପ୍ରାଣ
କଷ୍ଟ ହେବନାହିଁ ଦେହକୁ କଣ !
ଡରରେ ପରା ତା' ଥରୁଛି ଦେହ
ଅବିବେକ କେହ୍ନେ ହୋଇଲ କୁହ !
ଭୋକରେ ଫସଲ ଖାଇବା ଦୋଷ
ବଳଦ ନୁହେଁ ଯେ କରନ୍ତା ଚାଷ !
ଆଜିଠାରୁ ହେଲା ଗାଆଁରେ ରାୟ
ସଭିଏଁ ମାନିବ ଦେଇଥା ଲୟ ।
ବୁଲା ଗୋରୁଙ୍କୁଟି ନ ଦେଇ ମାଡ
ଫସଲକୁ ଆଗେ ଦେବରେ ବାଡ଼ ।
