ଜୀଅନ୍ତା ଭୂତ
ଜୀଅନ୍ତା ଭୂତ
ଯମଦରବାରେ ଆୟୂଷ କଳନା
ଯେତେବେଳେ ହୋଇଥାଏ,
ମନ୍ତ୍ରୀ ଚିତ୍ରଗୁପ୍ତ ଚତୁରତାପଣେ
ପାଞ୍ଜିପରେ ଲେଖିଦିଏ।
ଭାଗ୍ୟ ଓ କପାଳ ଜନ୍ମ ଷଠୀଘର
ଏନ୍ତୁଡିରୁ ସ୍ଵର୍ଗଦ୍ଵାର,
ଷଠୀଦେବୀ ସନ୍ତର୍ପଣେ ଲେଖିଦ୍ଯନ୍ତି
କପାଳରେ ମଣିଷର।
ସତ୍ୟ ନାରାୟଣ ପାଲାରେ ଗାୟକ
କରୁଥିଲେ ଆଶୀର୍ବାଦ,
ସର୍ବନିମ୍ନ ଶହେ କୋଡ଼ିଏ ବରଷ
ପାଉ ଆୟୂଷ ବାଳକ।
ଜାତକ ଗଣନା କରିଲେ ଜ୍ୟୋତିଷ
ଆୟୂଷ ଶହେ କୋଡ଼ିଏ,
ଲେଖି ଦେଉଥିଲେ ତାଳପତ୍ରପରେ
ମଣିଷ ଜୀବନେ ସିଏ।
ସର୍ବନିମ୍ନ ଶହେ କୋଡ଼ିଏ ବରଷ
ମଣିଷ ଆୟୂଷ ଥିଲା,
ଆଜି ସେ ଆୟୂଷ ଅଧା କମି ଯାଇ
ଷାଠିଏରେ ପହଞ୍ଚିଲା।
କି କାରଣେ ଆଜି ମଣିଷ ଆୟୂଷ
ଅଧାରେ ପହଞ୍ଚିଗଲା,
ନାନା ରୋଗ ବ୍ୟାଧି ଆମ ଜୀବନକୁ
ଦୁର୍ବିସହ କରିଦେଲା?
ଏଥିପାଇଁ ଆମେ ଉତ୍ତରଦାୟୀ ଯେ
କୃତ୍ରିମତା ଆଚରଣେ,
ପରିବେଶ ଠାରୁ ପରିଚର୍ଯ୍ଯା ଯାଏ
ବିଷ ଖାଦ୍ୟ ଆହରଣେ।
ବୟସ ବଢୁଛି ମଣିଷ ମରୁଛି
ଅକାଳ ବାର୍ଦ୍ଧକ୍ୟ ଆସେ,
ଅଳ୍ପାୟୂ ମଣିଷ ଅନେକ କଳ୍ପନା
କାହିଁ ସାଧୁଅଛି ମିଛେ?
ବୟସ ଷାଠିଏ ଛୁଇଁଲେ ଏଠାରେ
ମଣିଷ ଅଯୋଗ୍ୟ ହୁଏ,
ସରକାରୀ ସ୍ଥଳେ ଅବସର ନ
େଇ
ମୃତସମ ବଞ୍ଚିଥାଏ।
ଷାଠିଏ ବରଷ ଛୁଇଁଲା ମାତ୍ରକେ
ବୀମା ହୋଇପାରେ ନାହିଁ,
ସେହି ଦିନ ଠାରୁ ମଣିଷ ଉପରେ
ଭରଷା ତ ରହେ ନାହିଁ।
ବଞ୍ଚି ଥାଉ ଥାଉ କାଗଜ ପତ୍ରରେ
ଜୀଅନ୍ତା ଭୂତ ପାଲଟି,
ଭତ୍ତା, ପେନସନ ପ୍ରତି ମାସକରେ
ମଣିଷ ପାଉଛି ଏଠି।
ଆଜିର ମଣିଷ ଷାଠିଏ ବର୍ଷରେ
ମରଣ ପଥରେ ଚାଲେ,
ଦୂଷିତ ବାୟୁ ଓ ପ୍ରଦୂଷିତ ଖାଦ୍ୟ
କାରଣଟା ହୋଇପାରେ।
ବାର୍ଦ୍ଧକ୍ୟର ଛାପ ଅଦିନେ ଲାଗୁଛି
ବିଭିନ୍ନ ସମସ୍ୟା ନେଇ,
ମୃତ୍ୟୁ ହୋଇଗଲେ ଯମରାଜାଙ୍କର
ଟିକେ ଦୋଷ ଲାଗେନାହିଁ।
କିଏ ମରିଗଲା କ୍ୟାନ୍ସର ରୋଗରେ
କାହାର ଡାଇବେଟିସି,
କିଏ ଦୁର୍ଘଟଣା ଦ୍ଵାରା ମରେ ଏଠି
ଯମକିନ୍ତୁ ହସୁଅଛି।
ହଉରେ ମଣିଷ ପିଅ ମଧୁରସ
କାମନା ଲାଳସେ ପଡ଼ି,
ଯମମହାରାଜ ଅଟ୍ଟହାସ କରେ
ସବୁ ନିରୀକ୍ଷଣ କରି।
ବିଷୟାରସରେ ଆବଦ୍ଧ ମଣିଷ
ଦୀପରେ ପତଙ୍ଗ ପରି,
ଅନାୟସେ ନିଜ ଆୟୁଷ ସାରୁଛି
ନିଜକୁ ଜାଣି ନ ପାରି।
ଦୁର୍ଲ୍ଲଭ ଶରୀର କରେ ନାରଖାର
ସ୍ଵାର୍ଥକୁ ଜାବୁଡ଼ି ଧରି,
ଯଦି ସେ ଆତ୍ମାକୁ ଚିହ୍ନି ପାରୁଥାନ୍ତା
ନିଶ୍ଚେ ଯାଆନ୍ତା ଉଦ୍ଧରି।