STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ବାତ୍ୟା "ଦାନା"ଯାହା କହେ

ବାତ୍ୟା "ଦାନା"ଯାହା କହେ

2 mins
297


ବାତ୍ୟା ଭାଇ ତୁମେ ଯଦିବା ଆସିଛ

   ଆଉ ଟିକେ ରହିଯାଅ,

ଦୟା କରି ତୁମ ପରିଚୟ ସହ

   ଠିକଣାଟା ଦେଇଯାଅ।

ଦେଖାଇ ପାରିବ ଆଧାର କାର୍ଡଟା

   ଆଣିଛ କି ନାହିଁ କୁହ,

ଦୟାକରି ଭାଇ ଆମ ଫାଇଲିରେ‌

   ଦସ୍ତଖତ କରିଯାଅ।

ଯେଉଁବାତ୍ୟାମାନେ ଏଠି ଆସିଥିଲେ

   କ‌ଅଣ ହେବେ ତୁମର,

ଦୟାକରି ଭାଇ ତାଙ୍କ ପରିଚୟ

   କହିବ ଆମ ଆଗର !

ବାରମ୍ବାର ତୁମେ କେଉଁ କାରଣରୁ

   କାହିଁକି ଏଠାକୁ ଆସ,

ମୁଁ କେନ୍ଦ୍ରାପଡିଆ ପ୍ରଶ୍ନ ପଚାରୁଛି

   ମୋ ପାଖରେ ଟିକେ ବସ।

ଆମ ଦାନାପାଣି ଧାନ ଫସଲକୁ 

   ଆସି କରୁଅଛ ନଷ୍ଟ,

ତେଣୁତୁମ ନା‍ଁରେ କେଶ୍‌ଦେବୁ ଆମେ

    ହୋଇଅଛୁ‌ ଏକଜୁଟ।

ବାତ୍ୟାଟି କହ‌ଇ ଶୁଣ ବଡଭାଇ

    କହୁଛି ମୁଁ ଏହି କଥା,

ଆସିଥିଲେ ଆଗେ ପୂର୍ବ ଉପକୂଳେ

   ଆମ ଜେଜ 'ମହାବାତ୍ୟା'।

ବାପା 'ଫାଇଲିନ୍' ତା'ପରେ ଆସିଲେ

   କାରନାମା କରିଗଲେ,

ତାଙ୍କ ପରେ ବୋଉ 'ହୁଡ୍‌ହୁଡ୍' ଆସି

   ଘରଦ୍ଵାର ଭାଙ୍ଗି ଗଲେ।

ତାଙ୍କ ଗେହ୍ଲୀଝିଅ 'ଫନୀ' ଆସିଥିଲା

    କରିଗଲା ନାକେଦମ,

ଜ୍ବାଇଁ 'ଅମ୍ଫାନ୍' ବି ଆପଣମାନଙ୍କୁ

   ଦେଇଥିଲା ଭଲ ନାମ।

'ତିତିଲି' ନାମରେ ପୁଅଟି ଆସିଲା

   ବଙ୍ଗୋପସାଗର ଦେଇ,

ନଷ୍ଟ କରିଗଲା ଯେ ଧନ ଜୀବନ

   ତୁମକୁ ଜଣା ଅଛ‌ଇ।

ପୁଣି ଆଗପଛ ହୋଇ ଦୁଇପୁତ୍ର

   ଆସିଥିଲେ ସେତେବେଳେ,

"ବୁଲ୍‌ବୁଲ୍" ଆଉ "ଜ‌ଓ୍ଵାଦ", ନାଆଁକୁ 

   ଶୁଣି ଲୋକେ ଡରୁଥିଲେ‌।

ଛୋଟ ସାପ ଭଳି ବେଶୀ ବିଷ ନେଇ

  ନାତି 'ୟାସ' ଆସିଥିଲା,

ଆହୁରି ତାଙ୍କର ଆତ୍ମୀୟ ଆସିବେ

   ମିଟିଙ୍ଗ୍ ବି ଚାଲୁଥିଲା।

ଆସିଲା ତାଙ୍କର ଛୋଟିଆ ଚାକର 

   ନାଁ ଟି "ଗୁଲାବ",ନେଇ,

ଏବେ ତାଙ୍କ ନାତି ମୁଁ "ଦାନା"ଆସିଛି 

   ଦାନାପାଣି ଦେବି ଖାଇ।

ଗଜଲକ୍ଷ୍ମୀଙ୍କର ଭଷାଣୀ ଉତ୍ସବ

   ମୁଁ କରାଇ ଦେଲିନାହିଁ,

ସେଥିପାଇଁବେଶୀ ରାଗିଛ ମୋପରେ

   ଜାଣିପାରୁଅଛି ମୁହିଁ।

ଜେଜ ବାପାଙ୍କର ନିର୍ଦ୍ଦେଶକୁ ମାନି 

   ଆମେ ମାନେ ଆସୁଅଛୁ,

କେନ୍ଦ୍ରାପଡ଼ା ସହ ଉପକୂଳ ଜିଲ୍ଲା

   ଦେଖା କରିଯାଉଅଛୁ।

ଆମେ ଆସିବାର କାରଣ ପଛରେ

   ତୁମେ ମାନେ ଅଟ ଦାୟୀ,

ପ୍ରକୃତିକୁ ନଷ୍ଟ କାହିଁ କରୁଅଛ

   ଗଛଗୁଡା କାଟିଦେଇ?

ଯେଉଁଥିପାଇଁକି ବାୟୁ ସନ୍ତୁଳନ

   ଠିକ୍‌ଠାକ୍ ରହୁନାହିଁ,

ଅଦିନରେ ଖାଲି ଘୂର୍ଣ୍ଣିବଳୟ ଯେ

   ଦାନା ଖାଲି ବାନ୍ଧୁଥାଇ।

ଯେଣୁ ଲଘୁଚାପ ପୁଣି ଅବପାତ 

   ସୃଷ୍ଟି ହୁଏ ଘୂର୍ଣ୍ଣିଝଡ,

ଠିକ୍ ସେତେବେଳେ ଆମମାନଙ୍କର 

   ବାଟ ହୁଏ ପରିଷ୍କାର।

ଆମମାନଙ୍କର ତାଣ୍ଡବ ଠାରୁ ଯେ

   ମଣିଷଙ୍କ ଦାଉ ବେଶୀ,

 ଦୁର୍ନୀତି, ଦୁଷ୍କର୍ମ, ବ୍ୟଭିଚାର ପୁଣି

   ଚାଲେ ଛୁରୀ ଭୂଷାଭୁଷି।

ମଣିଷ ମାନଙ୍କୁ ଶିକ୍ଷା ଦେବାପାଇଁ

   ଆମେ ପରା ଆସୁଅଛୁ,

ବଡ଼ ଠାକୁର ଶ୍ରୀ ବଳଦେବଙ୍କୁ ଯେ

   ପ୍ରତିଶ୍ରୁତି ଦେଇ ଅଛୁ।

ଆମର ଠିକଣା ତୁମରି ହୃଦରେ

   ହୋଇଯାଅ ସଚେତନ,

ପରିବେଶ ରକ୍ଷା କରି ତୁମେମାନେ

   ଆନନ୍ଦରେ କାଟ ଦିନ ।

ରିଲିଫ୍ ପାଣ୍ଠିକୁ କିଛି ଦାନକର

   ରିଲିଫ୍‌କୁ ମାଗ ନାହିଁ,

ନିଜଗୋଡେ ନିଜେ ଠିଆହୋଇ ଶିଖ

   କହୁଛି ତୁମକୁ ମୁହିଁ।

ମଣିଷର ଭାଗ୍ୟ ପ୍ରଳୟ ହାତରେ

   ଆମେ ତାଙ୍କ ଅବତାର,

ଆମରି ପାଖରେ ଅଛି ଜାଣ ଭାଇ

   ତୁମରି ଆଧାର କାର୍ଡ।

ଏକଥାକୁ ଶୁଣି 'ଦାନା'ର ମୁହଁରୁ

  ମୁଁ ସେହି କେନ୍ଦ୍ରାପଡ଼ିଆ,

ନିଜଗାଲେ ନିଜେ ଚାପୁଡ଼ା ଖାଇକି

   ଚୁପ୍ ‌ଚାପ୍ ହେଲି ଠିଆ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy