ପୋଢୁଆଁ ହେବେ ବଳିଆ ଆଜି
ପୋଢୁଆଁ ହେବେ ବଳିଆ ଆଜି


ପ୍ରଥମାଷ୍ଟମୀ ଆସିଛି ଆଜି
ପ୍ରଭୁ ପୋଢୁଆଁ ହେବେ,
ନବିନ ନୀଳ ବସନେ ନବ
ଯୌବନ ପ୍ରକାଶିବେ।
ସୌନ୍ଦର୍ଯ୍ଯେ କୋଟି କନ୍ଦର୍ପଜିଣି
ହସିବେ କାମପାଳ,
ଏଣ୍ଡୁରି, ରସାବଳି,ପୋଟଳି
ପିଠା ହୋଇବ ଠୁଳ।
ପାଟ ପଗଡି ଭିଡିବେ ପ୍ରଭୁ
ଗଳେ ତୁଳସୀ ମାଳ,
ବଡ଼ ଭାଇଙ୍କୁ ଦେଖିକି ଜଗା
ମନଟି ଅସମ୍ଭାଳ।
ଗୋଡ଼ କଚାଡ଼ି କାନ୍ଦୁଛି ଜଗା
ମା'ଯଶୋମତୀ ପାଖେ,
ସୁଭଦ୍ରା ଗେହ୍ଲୀ ଚିଡେଇଲାଣି
ସାନ ଭାଇକୁ କେତେ।
ଏ ସବୁ ଦେଖି ନନ୍ଦରଜାଟି
ଯାଇଛି ଗୋପ ହାଟ,
କିଣି ଆଣିବ ନୀଳ,ଲୋହିତ,
ଓ ପିତାମ୍ଵରୀ ପାଟ।
ବଳିଆ ସହ କାଳିଆ ଆଉ
ସୁଭଦ୍ରା ମିଶିକରି,
ପ୍ରଥମାଷ୍ଟମୀ ପୋଢୁଆଁ ହେବେ
ଆନନ୍ଦ ଯିବ ପୁରି।
ହଳଦୀ ପତ୍ର ପିଠାର ବାସ
ଖେଳିବ ଚତୁର୍ପାର୍ଶ୍ଵ,
ଝରି ପଡ଼ିବ ଶ୍ରୀ ବଳଦେବ
କରୁଣା ଶୁଭାଶିଷ।
ତୁଳସୀ କ୍ଷେତ୍ରେ ରହିଲେ ଯେଣୁ
ବଳିଆ ଜ୍ୟେଷ୍ଠ ପୁଅ,
ତେଣୁ ସେ ନନ୍ଦ ରଜା ପଠାଏ
ଅକ୍ରୁର ବେଗେ ଯାଅ।
ଅକ୍ରୁର ଆଣି ପାଟ ବସନୀ
ପ୍ରଥମାଷ୍ଟମୀ ଭାର,
ତୁଳସୀ କ୍ଷେତ୍ରେ ଦେଇଯାଇଛି
ପ୍ରଭୁଙ୍କ ଉପଚାର।
ବାକି ରହିଲା ପୋଢୁଆଁ ହେବେ
ପ୍ରଭୁ ଧବଳ ମୁଖ,
ଦୁର୍ଲ୍ଲଭ ରୂପ ଦେଖି ହେ ଭକ୍ତ
ହଟାଅ ସବୁ ଦୁଃଖ।
ଠାକୁର ନୀତି ଆମ ସଂସ୍କୃତି
ଓଡ଼ିଆ ପରମ୍ପରା,
ବିଧିବିଧାନ ଭ
ାରି ମହାନ
ନିଆରା ଭାବଧାରା।
ଜ୍ୟେଷ୍ଠ ମାନଙ୍କୁ ମାନ୍ୟତା ଦେବା
ଓଡିଆ ଘରେ ଥାଏ,
ତେଣୁ ପ୍ରଥମାଷ୍ଟମୀ ଏ କଥା
ଆମକୁ କହୁଥାଏ।
ବାରମାସରେ ତେର ପରବ
ଆମ ସଂସ୍କୃତି ଏହି,
ତେଣୁ ଓଡ଼ିଆ ଭାରି ବଢ଼ିଆ
ତା'ପରି କେହି ନାହିଁ।
ପଣା ସଂକ୍ରାନ୍ତି ପଣା ଅର୍ପଣ
ରଜରେ ପୋଡ ପିଠା,
ଚିତଉ ଲାଗି ଚିତା ଅମାସ୍ଯା
ଦଶରା ମଣ୍ଡା ପିଠା।
ଚିନି ଉଖୁଡା ଖଣ୍ଡ ନଡ଼ିଆ
କୁଆଁର ପୁନେଇଁରେ,
ଗଜ ପ୍ରସାଦ କାର୍ତ୍ତିକ ବ୍ରତ
ଓଡିଆ ସଂସ୍କୃତିରେ।
ପ୍ରଥମାଷ୍ଟମୀ ଏଣ୍ଡୁରି ପିଠା
ହଳଦୀ ପତ୍ର ବାସ,
ବଉଳ ଅମାବାସ୍ୟା ଗଇଁଠା
ପ୍ରଭୁ ହୁଅନ୍ତି ତୋଷ।
ଯେବେ ଆସଇ ଶାମ୍ବ ଦଶମୀ
ଚାଲଇ ବଢାକୁଢା,
ବିଭିନ୍ନ ପିଠା ପଣା ପ୍ରସ୍ତୁତ
ଓଡିଆ ଘରେ ପରା।
ଏମିତି ଭାବ ଓଡ଼ିଆ ଗର୍ବ
ସହାୟ ବଳଦେବ,
ଆଜି ପ୍ରଥମାଷ୍ଟମୀ ତିଥିରେ
ପ୍ରଭୁ ପୋଢୁଆଁ ହେବ।
ଗାଆଁ ଗହଳୀ ଆନନ୍ଦେ ପୁରି
ପଡୁଛି ଦେଖ ଆଜି,
ନୂଆ ପୋଷାକ ପିଠାପଣାରେ
ସର୍ବେ ଯାଆନ୍ତି ହଜି।
ସେ ମୁଣ୍ଡପୋତା କେଳାଟି ଆସି
ଏଣ୍ଡୁରି ପିଠା ପାଇଁ,
ଗାଆଁ ଦାଣ୍ଡରେ ମୁଣ୍ଡ ପୋତୁଛି
ନାନା ଖେଳ ଦେଖାଇ।
ଧନ୍ୟ ବଳିଆ ଧନ୍ୟ କାଳିଆ
ଧନ୍ୟ ଓଡ଼ିଆ ଜାତି,
ତୁମ ଆଶିଷ ଥାଉ ଏମିତି
ବଞ୍ଚିଥାଉ ସଂସ୍କୃତି।