ନିଜକୁ ମାଗୁଛି ନିଜେ ଅନୁମତି
ନିଜକୁ ମାଗୁଛି ନିଜେ ଅନୁମତି
ମଣିଷ ତ ଆମେ ତାକୁ ହିଁ କହିବା
କରେ ଯିଏ କାର୍ଯ୍ୟ ଵୁଝି,
ବିବେକ ଖଟାଇ ଠିକ କର୍ମ ପାଇଁ
ମନକୁ କରାଏ ରାଜି ।
ପ୍ରତ୍ୟେକ ଦିଗକୁ କଷଟି ପଥରେ
ପରଖିବାକୁ ତ ହୁଏ,
କାର୍ଯ୍ୟ ଆରମ୍ଭରୁ ପାପ ପୂଣ୍ୟ କଥା
ବିଚାର ବୁଝାଇ ଦିଏ ।
ଜୀବନେ ଲଭି ମୁଁ ବହୁ ଅଭିଜ୍ଞତା
କାର୍ଯ୍ୟ କରେ ଭାବି ଚିନ୍ତି,
ପ୍ରତି କାର୍ଯ୍ୟ ପାଇଁ ନିଜକୁ ମାଗୁଛି
ନିଜେ ପରା ଅନୁମତି ।
ମଣିଷ ଜୀବନେ ବାଟ ଚାଲୁ ଚାଲୁ
ଅଜାଣତେ ଭୁଲ ହୁଏ,
ଜାଣି ଜାଣି ଯିଏ ଭୁଲ କରିବସେ
ସିଏ କ୍ଷମଣୀୟ ନୁହେଁ ।
ସତ୍ୟ ପଥେ ଯିବା ଅତି କଷ୍ଟକର
ଜାଣି ମୁଁ ନେଇଛି ବାଛି,
ନିଜକୁ ମାଗୁଛି ନିଜେ ଅନୁମତି
ପ୍ରତି କର୍ମେ ନିତିପ୍ରତି ।
ମଣିଷପଣିଆ ଜାଗ୍ରତ ରହିବ
ଉଚିତ କରମ କଲେ,
ଉଦଭ୍ରାନ୍ତ ହୋଇ ଆଗେଇ ଚାଲିଲେ
ହେବ ଭୁଲ କାଳେ କାଳେ ।
ଏମିତି ଜୀବନେ ସ୍ୱୟଂକ୍ରିୟ ଭାବେ
ହୁଏ ବେଳେ ବେଳେ ତ୍ରୁଟି,
ପରିଣାମ ତାର ଭୋଗିବାକୁ ପଡେ
ଇଏ ତ କର୍ମର ରୀତି ।
ପ୍ରେମ ହୋଇଯାଏ ଜାଣିହୁଏ ନାହିଁ
ଭାବିବା ପୂର୍ବରୁ କିଛି,
କିଏ ଠକିଯାଏ କାହାର ରହେ ତ
ଚିରଦିନ ପାଇଁ ବଞ୍ଚି ।
ନିଶା ସେବନରେ ମଣିଷ ହରାଏ
ବିଚାର କରିବା ଶକ୍ତି,
ବହୁ ଅଘଟଣ ଘଟେ ଦୁନିଆରେ
ଏ ଆଖି ଦେଖୁଛି ନିତି ।
ଆଧୁନିକତାର ପରଶେ ମଣିଷ
ଯାଉଛି ଅତୀତ ଭୁଲି,
ପୂର୍ବ ପୁରୁଷଙ୍କ ସଂସ୍କୃତି ଉଡ଼ିଛି
କନା ପଡ଼ିଅଛି ଖାଲି ।
ନିଜପାଇଁ ଭଲ ସଂସାର ପାଇଁ ବି
ଉଚିତ କର୍ମର ଫଳ,
ନିଜକୁ ପଚାରି ସବୁ କାମ କଲେ
କେବେ ହେବନାହିଁ ଭୁଲ ।