STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଜଡାଦାଦି‌ କହେ

ଜଡାଦାଦି‌ କହେ

2 mins
14


ସମ୍ଭାବନା ଅଛି ପୁଉଣି ଆଗକୁ 

   ବଡବାତ୍ଯା ଆସିପାରେ,

ପାଞ୍ଚଟି ଜିଲ୍ଲାରେ ଘଡ଼ଘଡ଼ି ସହ

   ଭାରି ବର୍ଷା ହୋଇପାରେ।

ଟିଭି ନ କହୁଣୁ ଜଡାଦାଦି ଆମ

    ଗାଆଁରେ କଲାଣି ହାଲ୍ଲା,

ଗାଆଁ ସାମ୍ବାଦିକ ଉପାଧି ପାଇଛି

   ନିଇତି ଲଗାଏ ପାଲା।

ଜଡାଦାଦି କହେ ବାରଶ ବେଗରେ 

    ପବନ ପରା ବହିବ,

ପଚାଶ ଫୁଟରେ ଜୁଆର ଆସିବ

    ଆର ସାହି ଭାସିଯିବ।

ବରଂ ମିଛ ହେଉ ଏକଥାକୁ ଶୁଣି

   ‌ ମୋ ଦେହେ ଛନକା ପଶେ,

ଜଡାଦାଦି କଥା କାଳେ ସତ ହେବ

    ସମ୍ଭାବନା ମନେ ଆସେ।

ଅଜଣା ଭୂତାଣୁ କରୋନା ଭଳିଆ

    ଅସମ୍ଭବ କିଛି ନୁହେଁ,

ମାଳିକା ପ୍ରମାଣ ସମ୍ଭାବନା ନୁହେଁ

    ବାସ୍ତବରେ ଦେଖାଯାଏ।

କେତେକ କୁହନ୍ତି ବାତ୍ୟାଟା ଆସିଲା

    ମନ ଶାନ୍ତି ହେଲାନାହିଁ,

ରିଲିଫ କି ପାଲ କିଛି ମିଳିଲାନି

    କେତେ ଆଶାଥିଲା ଭାଇ।

କିନ୍ତୁ ଜଡା କହେ ଆମ ଗାଁ ଲୋକ 

    ରିଲିଫ୍ ନିଶ୍ଚେ ପାଇବେ,

ଆରସାହି ଲୋକ ସମୁଦ୍ର ଜୁଆରେ

    ସମୁଦ୍ରକୁ ଭାସିଯିବେ।

ବାତ୍ୟା ନୁହେଁ ଇଏ ଆମରି ଗାଆଁକୁ

    ବର ସତେ ଆସୁଅଛି,

ପାଟପଟୁଆର‌ ରୋଷଣୀ ଧରିକି 

    ହୋ ହାଲ୍ଲା ଲଗେଇଛି‌।

ଜଡ଼ା କହେ ସତେ ମଦୁଆ ବର ସେ

    ଆସିବ ତ ଝୁଲି ଝୁଲି‌,

ତା'ହାଉଆରେ‌ ଅଣଚାଶ ବେଗେ

    ପବନ ବହିବ ବୋଲି।

ବାତ୍ୟାନାଆଁଶୁଣି ଆମଗାଁ ଦୋକାନୀ

    କହେ ମିଳୁନାହିଁ ଲୁଣ,

କଷ୍ଟେମଷ୍ଟେ ଯଦି ଲୁଣ କିଲେ ଦିଏ

    ନେଲାଣି ସେ ଚାରିଗୁଣ।

କିରୋସିନି ଆଉ ମିଳିବ ନାହିଁରେ

   କରେଣ୍ଟ ରହିବ ନାହିଁ,

ଘୋର ଅନ୍ଧକାର ମାଡିଣ ଆସିବ

   ଚଣ୍ଡୀ ସବୁ ଯିବେ ଖାଇ।

ଜଡ଼ା କହୁଥିବା କଥା ବେଳେବେଳେ

    ମୋ ମନକୁ ପାଇଯାଏ,

ପ୍ରତି ମଣିଷର କିଛିନା କିଛି ତ 

    ଭଲ ଗୁଣ ନିଶ୍ଚେ ଥାଏ।

ଏବେ ପ୍ରତିସାହି ଛକ ଗଛ ମୂଳେ

    ମଣ୍ଡପ ତିଆରି ହେଲା,

ଗଞ୍ଜେଇ ତାଆସ ମଦ ଫିଷ୍ଟ ପାଇଁ 

    ଭଲ ଜାଗା ମିଳିଗଲା।

ଜଡାପୁଣି କୁହେ ବାତ୍ୟା ମାଡ଼ ଖାଇ

    ଗଳିରେ ଟାଇଲ ପଡେ,

ଗାଆଁ ପଡ଼ିଆରେ କଂକ୍ରିଟ ଚିଆର

   ମଦୁଆଙ୍କୁ ଆଖିମାରେ।

ଗାଁ ପୋଖରୀର ଚାରିପାଖେ ପୁଣି

   ରଙ୍ଗ ହେଲା ଭଳି ଭଳି,

ମାଛ କଙ୍କଡ଼ାକୁ ଚିତ୍ରକୁ ଦେଖାଇ

   କୁଜି ନେତା ମାରେ‌ ତାଳି।

ଜଡାଦାଦି କହେ ଅଙ୍ଗନବାଡ଼ିରେ

    ଯେଉଁ ଅଣ୍ଡାଦିଆ ହୁଏ,

ସେ ଅଣ୍ଡା କୁଆଡେ କୁକୁଡ଼ା ଦେଇନି

    ପ୍ଲାଷ୍ଟିକ୍‌ର ଅଣ୍ଡା ସିଏ।

ଟଙ୍କାକିଆ‌ ଯିଏ ଚାଉଳ ନେଉଛ

    ଆମକୁ ଭୋଅଟ‌ ଦେବ,

ମଦଭତ୍ତା ପୁଣି ଭୋଅଟ ବେଳକୁ

    ନିଶ୍ଚୟ ଘୋଷଣା ହେବ।

ନାଁ ସିନା ଜଡ଼ା ଚାଲାଖ ସେ ପରା

   ଲୋକଙ୍କୁ ବନାଏ ବୋକା,

ଗାଁରେ କା'ଘରେ ଫୁଟଣ ଫୁଟିଲେ

   ଜଡ଼ାକୁ ମିଳେ ମ‌ଉକା।

ଦିଲ୍ଲୀଠାରୁ ପଲ୍ଲୀ ସମସ୍ତ ଖବର 

   ଜଡ଼ା ସେଣ୍ଟରରେ ବାଜେ,

ଖଚ ମିଛ ଯେତେ ନ‌ଅ ଛ‌ଅ କଥା

   କହିକହି ମନ ରଞ୍ଜେ।

ଢ଼ିଙ୍କିଶାଳେ ଥାଇ ଢେଙ୍କାନାଳ କଥା

   କହିପାରେ ଜଡ଼ା ଏକା ,

ଅଳପ‌ ଶୁଣିଲେ ହାଇଲାଇଟ୍‌ କରି

    ବୁଲାଏ ଆମକୁ ବାଙ୍କା।

କୋଉ ପୁଅ ଝିଅ ପ୍ରେମ କରୁଛନ୍ତି

   ସେ କଥା ଜଡ଼ାକୁ ଜଣା,

ମାଇପିଙ୍କ ପାଖେ ନସରପସର

   ସତେ ସିଏ ଚନ୍ଦ୍ରସେଣା।

ନଦେଖିଲା ଓଉ ଛ‌ଅଫଡା ପରି 

   ଅସମ୍ଭବ କଥାକୁହେ,

ମିଛ ସତ କହି ଗାଁ ନିଶାପରେ

   ଜୋରିମାନା ପୁଣି ଦିଏ।

ତଥାପି ପ୍ରକୃତି ଛାଡିପାରେ ନାହିଁ

   କୁକୁର ଲାଙ୍ଗୁଡ ବଙ୍କା,

ଏ ଲୋକ କଥାରେ ଅଛି ସମ୍ଭାବନା 

   ଖାଇବଟି ନିଶ୍ଚେ ଧ୍ଵକ୍କା।

ଭବିତବ୍ଯ ଯାହା ଅବଶ୍ୟ ଘଟିବ

   କେ କରିପାରିବ ଆନ,

ଧୈର୍ଯ୍ୟ ଓ ସାହସ ରଖି ବିପଦକୁ 

   କର ଭାଇ ସମ୍ମୁଖୀନ।

ଜଡ଼ା କଥା ଭୁଲି ଲେଖନୀକୁ ଧରି

    କବି ହୁଅ ଅଗ୍ରସର,

ପ୍ରକୃତି ସୁରକ୍ଷା ଦୁର୍ନୀତିର ହତ୍ୟା 

    ପାଇଁ ଉଠାଅ‌ ହେ ସ୍ଵର ।

(ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା,

  ମୋ - ୭୮୯୪୩୯୮୫୦୦)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy