ସ୍ମୃତି ବିଗତ ବର୍ଷର
ସ୍ମୃତି ବିଗତ ବର୍ଷର
ବିଗତ ବର୍ଷର ସ୍ମୃତି ଅପାଶୋରା
କରୋନାର କଳାଛାଇ
ଘୋଟି ରହିଅଛି କୁହେଳିକା ପ୍ରାୟ
ଚନ୍ଦ୍ର ସୂର୍ଯ୍ୟ ଦିଶୁ ନାହିଁ ।
ଜୀଉଛି ମଣିଷ ଭୟ ଓ ଆତଙ୍କେ
ଚଳାଉଅଛି ସ°ଗ୍ରାମ
ଦୁଷ୍ଟା ସୂର୍ପଣଖା ବଦଳାଏ ରୂପ
ବିକଟାଳ ସେ ଭୀଷଣ ।
କରୁଛି ଦୁରାଶା କଳ କଉଶଳ
ଧରୁଅଛି ଛଦ୍ମବେଶ
ଛଡାଇନେବ ସେ ଅନ୍ୟ ଅଧିକାର
ସୁସମ୍ପର୍କ ଭୂମି ଦେଶ ।
ତ୍ରିପୁର ବିଜୟୀ ଦାନବ ସମ୍ରାଟ
ଅଟନ୍ତି ଭ୍ରାତ ରାବଣ
ସିଏ ପ୍ରତିନିଧି ପ୍ରିୟ ଅନୁଚରୀ
ହରିପାରେ ସିଏ ପ୍ରାଣ ।
ଅହଙ୍କାର ଯେବେ ଲଙ୍ଘେ କୁଳସୀମା
ସ୍ୱର୍ଣ୍ଣ ଲଙ୍କା ହୁଏ ଚୂର୍ଣ୍ଣ
ଜଳିଯାଏ ଗର୍ବ ପ୍ରବଳ ପ୍ରତାପ
ଭସ୍ମ ହୁଏ ସୁଖ ସ୍ୱପ୍ନ ।
ସଟୀକାକରଣେ କଟିଅଛି ଏବେ
ସୂର୍ପଣଖା ନାକକାନ
ଗୁହାରୀ ଶୁଣନ୍ତି ଲଙ୍କେଶ ରାବଣ
କରିବେ ସୀତା ହରଣ ।
ବୀର ହନୁମାନ ସୀତା କରି ଠାବ
ଫେରିବେ ବାରତା ଧରି
ବାନ୍ଧି ସେତୁବନ୍ଧ ଭବସାଗରକୁ
ଯିବେ ରାମ ଲଙ୍କା ପୁରୀ ।
ସକଳ ପ୍ରଚେଷ୍ଟା ହୋଇବ ବିଫଳ
ଅନିର୍ବାର୍ଯ୍ୟ ହେବ ଯୁଦ୍ଧ
ସତ୍ୟସନ୍ଧ ରାମ ହୋଇବେ ବିଜୟୀ
ରାବଣ ହୋଇବ ବଧ ।
ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟାର ଗାଥା
ମହାକାବ୍ୟ ରାମାୟଣ
ଯାବତ ଚନ୍ଦ୍ରାର୍କେ ଭାରତ ଭୂମିରେ
ହେଉଅଛି ପାରାୟଣ ।
ହେଉ ଅବିଳମ୍ବେ ଲଙ୍କାର ଦହନ
ସ୍ୱଦେଶ ପ୍ରତ୍ୟାବର୍ତ୍ତନ
କମ୍ପୁ ଦଶଦିଶ ବିଜୟ ନିର୍ଘୋଷ
ଜୟ ଜୟ ଶ୍ରୀ ରାମ ।
