STORYMIRROR

Samita Swain

Tragedy

3  

Samita Swain

Tragedy

ସୃଷ୍ଟିର ନିୟମ

ସୃଷ୍ଟିର ନିୟମ

1 min
210


କାଳିଆ ସାଆନ୍ତ ଅନାଦି ଅନନ୍ତ 

  ପୂର୍ଣ୍ଣବ୍ରହ୍ମ ଅଣାକାର

ଭକତି ଅନ୍ତରେ ମଥାନତ କରି 

  ବାଢେ ଭକ୍ତିଅର୍ଘ୍ଯ ମୋର।


ପୁରୁଣା ଡାଇରୀ ପୃଷ୍ଠାଟି ସରିବ

  ଆଉ କିଛି ମୁହୂର୍ତ୍ତରେ 

ଅତୀତ ସ୍ମୁତିର ଲୁହସାଥେ ଭାବ

  ଲେଖେ ମୁହିଁ କବିତାରେ।


ସୃଷ୍ଟିର ନିୟମେ ଫେରିଗଲେ କେତେ

  ହାଟରୁ ସଉଦା ସାରି

ଆଶା ଆଶଙ୍କାରେ ଭୟଭୀତ ମନ

   ଏବେବି ହେଉଛି ଘାରି।


ଜୀବନ ଅଙ୍କର ବାସ୍ତବ ଚିତ୍ରକୁ

  ପାଖରୁ ଦେଖିଲି ଯେବେ

ଅଜାଣତେ ମୋର ମନର କାନ୍ଥରେ

   ଛାପିଦେଲି ଅନୁଭବେ।


ଦିନ ସରିଗଲା ଚିହ୍ନ ରହିଗଲା

  ଅଭୁଲା ସେ ସ୍ମୁତି ହୋଇ

କେତେ ଯେ ଲୋତକ ଝରିଲା ଆଖିରୁ

   ଝରା ଶେଫାଳୀଟି ପାଇଁ।


ସପନ ସିନ୍ଦୁକେ ସାଇତା ବେଦନା

   ନିରବ ନିଶ୍ବାସ ହେଲା

ଅଦିନ ଝଡର ଅଣଚାଷ ବାଆ

   ବସାକୁ ଉଡେଇ ନେଲା।


ସ୍ମୁତି ବିସ୍ମୁତି ର ପ୍ରଛଦ ପଟରେ

  ଅଙ୍କା ଥାଏ ଭାଗ୍ଯରେଖା

ସମର୍ପିତ ପ୍ରାଣ ଜୀବନ ଯୁଦ୍ଧରେ 

 ସାହା ସେ ଦରଦ ସଖା।


ପୁରୁଣା ଫେରିବ ବିଦାୟ ବିଧିରେ

   ନିତ୍ଯସତ୍ଯ ଅଟେ ଏହା

ନୂତନ ଆସିବ ସ୍ବପ୍ନର ସହିତ 

   ଏଇ ତ' ଜୀବନ ରାହା।


ନୂତନ ସାଥିରେ ଆସୁ ଧର୍ମ ନ୍ଯାୟ

  ସୁରଭିତ ଶାନ୍ତି ନେଇ

ଅଭେଦ୍ଯ ହେଉସେ ଅନାବିଳ ଭାବ

   ମମତାର ପ୍ରୀତି ହୋଇ।


ଶୂନ୍ୟତା ଭିତରେ ପୂର୍ଣ୍ଣତା ବିରାଜୁ

  ଆଶାର ପ୍ରଦୀପ ଜାଳି

ସମ୍ଭାବନା ଭରୁ ସବୁରି ମନରେ

  ଏତିକି ସାଆନ୍ତେ ଅଳି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy