STORYMIRROR

samhita jena

Tragedy

4  

samhita jena

Tragedy

ଝୁରୁଛି ଯମୁନା ଝୁରେ କଦମ୍ବ

ଝୁରୁଛି ଯମୁନା ଝୁରେ କଦମ୍ବ

1 min
416

ଯମୁନା କୂଳରେ କଦମ୍ବ ମୂଳରେ

   ବଇଁଶୀର ସାତ ସୁରେ

ପ୍ରେମର ରାଗିଣୀ ଶୁଣେ ରାଧାରାଣୀ

   ଏକାନ୍ତରେ ମନ ଝୁରେ।


ଅଛି ସେ ଯମୁନା ଅଛି ସେ କଦମ୍ବ

   ନାହିଁ ବଇଁଶୀର ସୂର

କଦମ୍ବ ପଚାରେ ଯମୁନାକୁ ଧୀରେ

   କାହିଁ ଗଲା କାହ୍ନୁ ମୋର।


ଯମୁନା ଖୋଜୁଛି ଗୋପଠୁ ମଥୁରା

   କାହ୍ନୁ ସ୍ପର୍ଶ ପାଇବାକୁ

ଯଶୋଦା ଆଖିରୁ ଶ୍ରାବଣର ଧାରା

   ଛୁଟେ ଯମୁନା କୂଳକୁ।


ଗୋପ ଗୋପାଳୁଣୀ ନେଲେଣି ମେଲାଣି

    କାହ୍ନୁ ବିନା ଯମୁନାରୁ

ଝୁରି ମରେ ରାଧା ମାନେ ନାହିଁ ବାଧା

    ଅଶ୍ରୁ ଝରଇ ନେତ୍ରରୁ।


ସାଙ୍ଗ ସାଥି ମେଳେ କାଁହ୍ନୁ ବେଳେ ବେଳେ

   ଯମୁନା ତଟରେ ଯାଇ

ହଟ କରୁଥିଲା ଗୋପୀଙ୍କ ସାଥିରେ

   ପିନ୍ଧା ବସ୍ତ୍ରକୁ ଚୋରାଇ।


ଲବଣୀ ଚୋର ସେ ଗୋପାଳୁଣୀଙ୍କର

   ଯଶୋଦାର ଗଣ୍ଠି ଧନ

କେମିତି କହିବ କାହାକୁ ରାଧିକା

    ଦେଇଛି କାହ୍ନୁକୁ ମନ।


ଗୋପ ଛାଡି ଧନ ଦେବକୀ ନନ୍ଦନ

    ଗଲେ ମଥୁରା ପୁରକୁ

ଗୋପ ଲୀଳା ସବୁ ଗୋପରେ ଛାଡିଲେ

     ଗୋପ ବାସୀ ଝୁରିବାକୁ।


ମଥୁରାକୁ ଗଲାବେଳେ କାହ୍ନୁ ବଂଶୀ

     ଛାଡ଼ିଗଲେ ଗୋପପୂରେ

ଯମୁନା ଝୁରଇ କଦମ୍ବ ଝୁରଇ

     ରାଧିକା ବି ଝୁରି ମରେ।


ଆଖିର ଲୁହରେ ଛାତିର କୋହରେ

   ଡାକଇ ଯଶୋଦା ମାତା

ଲଳିତା ଡାକୁଛି ବିଶାଖା ଡାକୁଛି

   ଡାକୁଛି ପ୍ରିୟା ରାଧିକା।


ଗାଈ ଗୋଠ ଡାକେ ସୁଦାମା ବି ଡାକେ

   ଆରେ କାହ୍ନୁ ତୁ ଆ

ତ୍ରୀଭଙ୍ଗି ଠାଣିରେ ଯମୁନା ପାଣିରେ

  କଦମ୍ବ ମୂଳରେ ଗାଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy