STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ଝୁରୁଛି କଦମ୍ବ ଝୁରେ ଯମୁନା

ଝୁରୁଛି କଦମ୍ବ ଝୁରେ ଯମୁନା

2 mins
323


ସାରା ଗୋପ ପୁରେ ଚର୍ଚ୍ଚିତ ଖବର

ଝୁରେ କଦମ୍ବ ଯମୁନା 

କାହ୍ନା ସ୍ମୃତି ଧାରେ ଗୋପୀ ଗୋପାଙ୍ଗନା

ସର୍ବେ ପୁଣି ଆନମନା

ଉଦ୍ଧବ ମନରେ ଗୋପପୁର ସ୍ଥିତି 

କ୍ରମେ ଜିଜ୍ଞାସା ରୂପରେ

ବନ୍ଧୁ ଶ୍ରୀକୃଷ୍ଣଙ୍କ ପରାମର୍ଶ ଧାରେ

ପହଞ୍ଚିଲେ ଗୋପ ପୁରେ

କାହ୍ନା ବିନା ସତେ କିଏ ଝୁରୁ ଥିଲା

ପ୍ରାୟତଃ ଥିଲା ସନ୍ଦେହ

ଗୋପ ପୁରେ ଭ୍ରମି ଜ୍ଞାତ ହେଲା ସ୍ଥିତି

ଗୋପ କାହ୍ନା-କୃଷ୍ଣମୟ 

ଯମୁନା ବହୁଛି କଦମ୍ବ ବି ଅଛି

ନାହିଁ ବଇଁଶୀର ସୁର 

ପରସ୍ପର ପ୍ରତି ଗୋଟିଏ ଜିଜ୍ଞାସା 

କାହିଁ ଗଲେ ଚିତ୍ତ ଚୋର

ଧେନୁ-ଗୋଷ୍ଠ ମଧ୍ୟେ ହମ୍ବା ରଡ଼ି ଧାରେ

ସ୍ପଷ୍ଟ କାହ୍ନା ଉଚ୍ଚାରଣ

ସତେ ଅବା କାହ୍ନା କେଉଁ ଲତା କୁଞ୍ଜେ

ରାସ ରସରେ ନିମଗ୍ନ

କେତେ ରୋମାଞ୍ଚକ ଥିଲା କାହ୍ନା ପ୍ରେମ

କିଏ ସେ ହେଉଛି ଝୁରି

ଉଦ୍ଧବ କ୍ରମଶଃ ଶ୍ରୀରାଧା ମୁଖରୁ

ଜ୍ଞାତ ହେଲେ ସର୍ବୋପରି


ବଇଁଶୀର ସାତ ସୁରର ମୂର୍ଚ୍ଛନା 

ଥିଲା ଗୋପରେ ବ୍ୟାପକ

ଯମୁନା କୂଳରେ କଦମ୍ବ ମୂଳରେ

ଶୁଭୁ ଥିଲା ରାଧା ଡାକ

ପ୍ରେମର ରାଗିଣୀ ଧାରେ ରାଧାରାଣୀ

ପୁଣି ଗୋପ ଗୋପାଙ୍ଗନା 

ସ୍ଥାବର ଜଙ୍ଗମ ତରୁ ତୃଣ କ୍ରମେ

ପ୍ରାୟ ଥିଲେ ଆନମନା 

ମୋହନ ବଂଶୀ ସ୍ୱନ ପ୍ରଭାବରେ 

ତରଳି ଥିଲା ପଥର

ହିଂସ୍ର ସ୍ବଭାବ ବି ଲୁପ୍ତ ହେଲା କ୍ରମେ

ବନ୍ୟ ପଶୁ ଅରଣ୍ୟର 

ଯମୁନାର ଜଳ ଉଠିଲା ଉଜାଣି 

ଜଳ-ଜୀବ ହେଲେ ସ୍ଥିର

ମୋହଗ୍ରସ୍ତ ପ୍ରାୟ ଗୋପୀ ଗୋପାଙ୍ଗନା 

ମୋହଗ୍ରସ୍ତ ଗୋପପୁର 

ବିହଙ୍ଗ ପ୍ରାୟତଃ ନିଜସ୍ଵ କାକଳି 

ଆପେ ଆପେ ଗଲେ ଭୁଲି 

ପବନ ଓ ଚନ୍ଦ୍ର ନିଜ ଗତି ପଥ 

ସହଜରେ ଗଲେ ଭୁଲି

ଧ୍ୟାନସ୍ଥ ଯୋଗୀର ହେଲା ଧ୍ୟାନ ଭଗ୍ନ

ବଂଶୀ ସ୍ଵନ ପ୍ରଭାବରେ

ରାଧା ସହ ଗୋପାଙ୍ଗନା ବି ବିବ୍ରତ

ମଧୁର ମୂର୍ଚ୍ଛନା ଧାରେ

ବନରେ ମୟୁରୀ ନାଚୁ ଥିଲେ ପୁଣି 

ବଂଶୀ ସ୍ୱର ତାଳେ ତାଳେ 

ଯମୁନାର ଜଳ ଉଠିଲା ଉଛୁଳି 

ସତେ ଅବା କୁତୁହଳେ 

ଶୁକ ପିକ ଡାକ ଲତା ଉହାଡରେ

କୁଞ୍ଜବନ ଚଉପାଶେ 

କଦମ୍ବ ଫୁଲର ମଧୁର ମହକ 

ଭରି ଉଠିଲା ସୁବାସେ 

ଘନ କାଳେ ପୁଣି ବଂଶୀ ସ୍ବର ଧାରେ

ଗୁଞ୍ଜରିତ ରାସ ଦୋଳି

ଚିତ୍ତ ଚୋରି ହେଲା ପରାୟ ହୃଦରେ

ପ୍ରେମ ଉଠିଲା ଉଛୁଳି

କୁହୁକ ପରାୟ ଲଜ୍ଜ୍ୟା ଗଲା ହଜି

ଗୋପ ବାଳୀ ହେଲେ ମେଳି

ନିଜକୁ ନିଜେ ହିଁ ଭୁଲି ରାଧା କ୍ରମେ 

ଦିବା ନିଶି ହେଲା ଭାଳି


କାହ୍ନା ବିନା ପ୍ରାୟ ଗୋପରେ ଶୂନ୍ୟତା 

ନାହିଁ ପୂର୍ବ ଉନ୍ମାଦତା

ବାହୁନି ବାହୁନି ଝୁରେ ରାଧା ପ୍ରାଣ

ଗୋପ ପୁରେ ନୀରବତା 

ମଧୁବନ ଅବା କୁଞ୍ଜବନେ ନାହିଁ 

କାହ୍ନା ସେ' ମୁରଲୀ ଧାରୀ 

ନନ୍ଦ ଉଆସରେ କୋଳାହଳ ବିନା 

ସତେ ଅବା ହତଶିରୀ

ମୋହନ ମୁରଲୀ ଯଦିଓ ବାଜୁନି

ଅଛି ତା'ର ପ୍ରତିଧ୍ୱନୀ

ପ୍ରତିଧ୍ୱନୀ ଥାଇ, ନାହିଁ ପ୍ରତିବିମ୍ବ

ହୃଦୟେ ଶୂନ୍ୟତା ପୁଣି


ଚହଲା ପାଣିରେ କଦମ୍ବ ଭାସିଲେ

ମାରେ ସେ ଆଖି ମିଟିକା 

ଯମୁନା କୂଳରେ କଦମ୍ବ ମୂଳରେ

ରାଧା କିଆଁ ଏକା ଏକା 

ମଳୟ ପବନେ କଦମ୍ବ ସୁବାସ

ବାସ ଚହଟି ଉଠୁଛି

ଗୁଣୁ ଗୁଣୁ ହୋଇ ଭ୍ରମର ବି ବୋଧେ

କିଛି ପ୍ରଶ୍ନ ପଚାରୁଛି

କାହ୍ନା ବାହୁ ବନ୍ଧନୀରେ ରହି ପରା

ବଜାଇ ଥିଲୁ ମୁରଲୀ !

ତନ ମନ ସବୁ ମିଶି ଯାଉଥିଲା

ଲୋକହସା ପୁଣି ଭୁଲି !

କୋଇଲି ନିଜର ସୁମଧୁର କଣ୍ଠେ 

ବେସୁରା ଭାବ ପ୍ରତ୍ୟୟ

କାହ୍ନା ବିନା ରାଧା ଏକୁଟିଆ ଦେଖି

ଭୁଲି ଯାଏ ତାଳ ଲୟ 

ବସନ୍ତ ଋତୁ ତ ଆସିଛି ଧରା କୁ

ନିଦାଘ ରାଧା ମନରେ

ଯମୁନାର ଜଳ ଉଜାଣି ଦେଖୁଛି

କାହ୍ନା ଅଛି କେଉଁ ଠାରେ !

କାହ୍ନା ବିନା ସଖୀ ସହଚରୀ ଦୂରେ

ରାଧା ଜୀବନ ତ ଅଧା

ମନ କଷ୍ଟ ହେବ ଜାଣି ସଖୀ ଗଣ

ଦୂରେ ଥାଇ ରାଧା ରାଧା 

ତଥାପି କାହିଁକି କଦମ୍ବ ମୂଳରେ

ରହି ଯାଇଅଛି ମନ

କିଛି କ୍ଷଣ ପାଇଁ ବସି ରହେ ରାଧା

କଦମ୍ବ ମୂଳେ ହିଁ ପ୍ରାଣ 


ଫଗୁଣ ବସନ୍ତ ଶରତ ଆସୁଛି 

ଗୋପ ଦାଣ୍ଡେ ନୀରବତା 

ଗୋଧୂଳି ଲଗନେ କାହ୍ନା ବାଟ ଚାହିଁ

ରହିଛି ଯଶୋଦା ମାତା

ଯଶୋଦା ମାତାର ଲୋତକର ଧାରା

ଶ୍ରାବଣର ଧାରା ସମ

ଅବିରତେ ବହେ ନୟନ କୋଣରୁ

ମୁଖେ କାହ୍ନା କାହ୍ନା ନାମ

ଗୋପ ପୁରେ ଯେଉଁ ଝୂରିବା ପ୍ରସଙ୍ଗ

ନୁହେଁ ସଂକ୍ଷିପ୍ତ ବ୍ୟାପାର

ଗୋପ ଲୀଳା ପ୍ରାୟ ଅବର୍ଣ୍ଣନୀୟ ସେ

ଭାବ ଜୀବ ପରମର



Rate this content
Log in

Similar oriya poem from Abstract