ଝୁରେ ଏ ମନ
ଝୁରେ ଏ ମନ
ସ୍ମୃତିରେ ବଞ୍ଚିବି ସ୍ମୃତିରେ ମରିବି
ଥିବା ଯାଏଁ ପିଣ୍ଡେ ପ୍ରାଣ।
ତୁମେ ଥିଲ ମୋର ହୃଦୟ ସ୍ପନ୍ଦନ
କେଉଁଠି ହଜିଲ ଧନ।
ଦିବା ନିଶି ଦିଶୁଥିଲା ମୁଖ ଶଶୀ
ଉଆଁସ ଆକାଶେ ମୋର।
ସେତିକିରେ ମୁଁ'ତ ଆନନ୍ଦରେ ଥିଲି
ଛଡ଼ାଇଲ ଅଧିକାର।
ଅନ୍ଧାର ଘୋଟିଛି ଜୀବନ ଆକାଶେ
ଲୁହ ଝରେ ରହି ରହି।
କେଉଁଠି ଲୁଚିଛ ଖୋଜି ମୁଁ' ପାଉନି
ଗୁପତରେ ଯାଅ କହି।
ଲୁଚକାଳି ଖେଳ ହୃଦୟ ବିଦାରି
ଅଥୟ କରୁଛି ମନ।
ଶୋଇ ପାରୁନି କି' ଚେଇଁ ବି' ପାରୁନି
ମରମ କରେ କ୍ରନ୍ଦନ।
ବର୍ଷା ଆଗମନ ସୂଚନା ଦିଅଇ
ତୁମେ ତ' କିଛି ଦେଲନି।
ଯାଦୁ ଖେଳ ପରି ଲୁପ୍ତ ହୋଇଗଲ
ଝୁରିକି ହେଲି ବାୟାଣୀ।
ଅଧରେ ମୋ' ହସ କରୁ ଅଛି ରୋଷ
ବାଧ୍ୟ ଯେବେ କରେ ତାକୁ।
ବଞ୍ଚିବାକୁ ହେଲେ ସ୍ମୃତିରେ ତୁମର
ପଡେ ମିଛେ ହସିବାକୁ।
ନିରୁପାୟ ହୋଇ ଏକାନ୍ତରେ ରହି
ଭାବେ ସେହି ଅତୀତକୁ।
ଦିନେ ଛୁଟି ଥିଲା ହେନାର ସୁଗନ୍ଧ
ବିରହରେ ମାରିବାକୁ।
ନିଶ୍ୱାସ ଚାଲିଛି ବିଶ୍ୱାସ ବି' ଅଛି
ଫେରିବ ନିଶ୍ଚୟ ଦିନେ।
ଉଜୁଡା ଜୀବନ ସଜଡ଼ା ହୋଇବ
ତୁମ କଥା ଶୁଣି କାନେ।
ଥକି ପଡିବନି ମୋ' ନେତ୍ର ପଟଳ
ଚାହିଁ ଥିବ ତୁମ ପଥ।
ଜୀବ ଥିବା ଯାଏଁ ତୁମେ ରହି ଥିବ
ଏହାହିଁ ମୋର ଶପଥ।