ଅତୀତ କି ଫେରେ
ଅତୀତ କି ଫେରେ
ଅତୀତ ଏମିତି, କେବେ ଫେରେନାହିଁ
ଧିରେ ଧିରେ ଦୂରେ ଯାଏ,
ମଲା ଜହଁ ଭଳି ଜୀବନ ଆକାଶେ
ଫିକା ଫିକା ଦିଶୁଥାଏ |
ଜୀବନ ସନ୍ଧ୍ୟାର ମଳିନ ଆଭାରେ
ଭାସେ ଅତୀତର ସ୍ମୃତି,
କିଛି ଦୁଃଖ ଦିଏ କିଛି ହସ ହୋଇ
ଅଧରେ ଯାଏ ତ ଲୁଚି |
ଜୀବନରେ ଯେବେ ବଞ୍ଚି ରହନ୍ତାନି
ଅନ୍ତରେ ଅତୀତ ସ୍ମୃତି,
ବଞ୍ଚିବାର ସ୍ୱାଦ ମିଳନ୍ତାନି କେବେ
ଛୁଅନ୍ତା ମରୁର ପ୍ରୀତି |
ଜୀବନର ପଥ ନୁହେଁ ସମତଳ
ଖାଲ ଢିପ ହୋଇଥାଏ,
କେବେ ଫୁଲବିଛା କେବେ କଣ୍ଟକିତ
ସୁଖ ଅବା ଦୁଃଖ ଦିଏ |
ଜୀବନ ପରିଧି ରଖିଛି ସାଇତି
ଅତୀତର ସବୁ ସ୍ମୃତି,
ଅଭୁଲା ସେ ସବୁ ଲିପିବଦ୍ଧ ହୋଇ
ହୋଇଛି ନିଜର ଅତି |
ଅମଡ଼ା ବାଟରେ ଚାଲିବାର ସ୍ମୃତି
ଦିଏନା ହେବାକୁ ଭୁଲ,
ଅଭିଜ୍ଞତା ସବୁ ସାଇତା ସ୍ମୃତିରେ
ଯାହା ତ ଅମୂଲ ମୂଲ |
ବିଶ୍ୱେ ଦୁଇ ବିଶ୍ୱ ଯୁଦ୍ଧର ସ୍ମୃତି ଯେ
ଶାନ୍ତିର ଆହ୍ୱାନ ଦିଏ,
ଆଉ ସେ ବିଭତ୍ସ ସ୍ମୃତି ସାଉଁଟିବା
କଳପନା ହଜି ଯାଏ |
ଭାରତର ମୁକ୍ତି ସଂଗ୍ରାମେ ସଫଳ
ଗାନ୍ଧୀଙ୍କ ଅହିଂସା ଅସ୍ତ୍ର,
ବିଶ୍ୱସାରା ଆଜି ଗାନ୍ଧୀଙ୍କୁ ଝୁରୁଛି
ସାଉଁଟି ସ୍ମୃତିର ମନ୍ତ୍ର |
ଜୀବନ ଯାତ୍ରାର ଅନ୍ତିମ ବେଳାରେ
ସ୍ମୃତି ଆସେ ସ୍ବପ୍ନ ହୋଇ,
ବିଦଗ୍ଧ ପରାଣେ ବଞ୍ଚିବାର ମୋହ
ଭରିଦିଏ ଗପ କହି |
ଅତୀତ ନୁହେଁ ଯେ ଝରା ଫୁଲ ସବୁ
ନୁହେଁ ଗଳ୍ପ ଜୀବନର,
ଅଙ୍ଗେନିଭା କଥା ସାଇତା ଯାଇଛି
କମ୍ପନ ଯେ ହୃଦୟର |
ମସ୍ତିଷ୍କର କେଉଁ ଅଜଣା ତନ୍ତ୍ରୀରେ
ଅତୀତ ତ ଲୁଚିଥାଏ,
ନୀରବ ମୁହୂର୍ତ୍ତେ ଅନୁଶୋଚନାରେ
ମନତଳେ ନାଚିଯାଏ |