STORYMIRROR

Sachidananda Kar

Children

4  

Sachidananda Kar

Children

ଝଲସି ଉଠିବ ସୁନା ପରି

ଝଲସି ଉଠିବ ସୁନା ପରି

1 min
218


ପବନକୁ ଟିକେ ବହିବାକୁ ଦିଅ

ବହି ଆସୁ ସିଏ ଧୀରେ ଧୀରେ

ତା' ହେଲେ ସିନା ସେ ଛୁଇଁବ ଆମକୁ

ବସିଯିବା ଯେବେ ନଦୀ ତୀରେ ।।


ଫୁଲକୁ ଟିକିଏ ବାସିବାକୁ ଦିଅ

ବୁଣିଦେଉ ସିଏ ତା'ର ବାସ

ତା' ହେଲେ ସିନା ସେ ମୋହିନେବ ମନ

ଯିବାକୁ ଚାହିଁବା ତା'ର ପାଶ ।।


ପକ୍ଷୀକୁ ଟିକିଏ ଉଡିବାକୁ ଦିଅ

ଉଡିଯାଉ ସିଏ ଡେଣା ଖୋଲି

ତା' ହେଲେ ସିନା ସେ ଜାଣିନେବ ନିଜେ

ଦୂର ଆକାଶରେ ଉଡେ ବୋଲି ।।


ମେଘକୁ ଟିକିଏ ଆସିବାକୁ ଦିଅ

ବରଷିଯାଉ ସେ ଝରଝର

ତା' ହେଲେ ସିନା ସେ ଧରଣୀ ବୁକୁରେ

ତୋଳିଦେବ ତା'ର ନିଜ ଘର ।।


ନଈଟିକୁ ଟିକେ ବାଟ ତା'ର ଦିଅ

ଅଙ୍କେଇ ବଙ୍କେଇ ଯାଉ ବହି

ତା' ହେଲେ ସିନା ସେ ମିଶିବ ସାଗରେ

ମନକଥା ତା'ର ଦେବ କହି ।।


ଆକାଶକୁ ଟିକେ ସାଜିବାକୁ ଦିଅ

ନୀଳ ରଙ୍ଗେ ସିଏ ପାଉ ଶୋଭା

ତା' ହେଲେ ସିନା ସେ ଆଖିକୁ ଆମରି

ଦିଶିବ ଆହୁରି ମନଲୋଭା ।।


ସାଗରକୁ ଟିକେ ନାଚିବାକୁ ଦିଅ

ଢେଉ ତା'ର ନାଚୁ ଢଳି ଢଳି

ତା' ହେଲେ ସିନା ସେ ଖୁସି ଦେଖାଯିବ

ସୁନ୍ଦର ପଣରେ ଯିବ ବଳି ।।


ମଣିଷକୁ ଟିକେ ଜୀଇବାକୁ ଦିଅ

ଯାଉ ସିଏ ତା'ର କାମ କରି

ତା' ହେଲେ ସିନା ସେ ଜୀବନକୁ ଗଢି

ଝଲସି ଉଠିବ ସୁନା ପରି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children