ସୁ ସ୍ବାଗତଂ
ସୁ ସ୍ବାଗତଂ
ଛଅ ଜଣ ରାଜାଙ୍କର ବାର ଗୋଟି ରାଣୀ,
ଶାସନ କରନ୍ତି ରାଜା ଦୁଇ ମାସ ଗଣି l
ପ୍ରଥମ ରାଜାଙ୍କ ନାମ ଅଟଇ ଗ୍ରୀଷମ,
ପ୍ରଚଣ୍ଡ ପ୍ରତାପୀ ଆଉ କରନ୍ତି ଭାଷମ l
ରାଣୀଙ୍କର ନାମ ଅଟେ ବୈଶାଖ ଓ ଜ୍ୟୋଷ୍ଠ,
ପ୍ରଜାଙ୍କ ଦୁଃଖ ନ ବୁଝି ଦେଇଥାନ୍ତି କଷ୍ଟ l
ପ୍ରଜାମାନେ ଏହି ରାଜାଙ୍କୁ ବେଶୀ ଡରିଥାନ୍ତି,
କେବେ ଯିବେ ବୋଲି ସଦା ମନେ ସୁମରନ୍ତି l
ଦୁଇ ମାସ ପରେ ରାଜା ବିଦାୟ ନିଅନ୍ତି
ରାଜା ଯିବା କଥା ଶୁଣି ସମସ୍ତେ ହସନ୍ତି l
ତାପରେ ଧରା ରାଜ୍ୟକୁ ଆସନ୍ତି ବର୍ଷା ରାଜା,
ସ୍ୱାଗତ ସଂଗୀତ ବୋଲି ନାଚନ୍ତି ପରଜା l
ସିଂହାସନେ ବସି ଦେଖନ୍ତି ପ୍ରଜାଙ୍କ ହିତ,
ଆଷାଢ଼ ଓ ଶ୍ରାବଣ ରାଣୀ ଗାଇଥାନ୍ତି ଗୀତ l
ମହାରାଜା ବର୍ଷା କି ସଭିଏଁ କହନ୍ତି ଜୟ
କିଛି ଦିନ ଅନ୍ତେ ରାଜା ନିଅନ୍ତି ବିଦାୟ l
ଦୁଇ ମାସ ପରେ ଆସିଥାନ୍ତି ଛାମୁ ଶରତ,
ସବୁ ନୃପତିଙ୍କ ଠାରୁ ସୁନ୍ଦର ବହୁତ l
ରାଣୀଙ୍କର ରୂପ ଦିଶେ ଅତି ମନୋରମ,
ଭାଦ୍ରବ ଓ ଆଶ୍ୱିନ ଦୁଇ ରାଣୀଙ୍କ ନାମ l
ପ୍ରଜାଙ୍କୁ ସୁଖରେ ପାଳି ନିଅନ୍ତି ବିଦାୟ,
ପ୍ରଜାଙ୍କ ଖୁସିରେ ପ୍ରକୃତି ଦିଶେ କମନୀୟ l
ତାପରେ ହେମନ୍ତ ରାଜା ଆସନ୍ତି ଧରାକୁ,
ସାଥିରେ ଧରି ଆସନ୍ତି ଦୁଇ ମହାରାଣୀଙ୍କୁ l
କାର୍ତ୍ତିକ ଓ ମାର୍ଗଶିର ଦୁଇ ରାଣୀଙ୍କ ନାମ,
ପଣତ କାନିରେ ଧରି ଆସିଥାନ୍ତି ହିମ l
ହେମନ୍ତଙ୍କ ପରେ ପରେ ଶୀତ ରାଜା ଆସି,
ଭୟେ ଥରାଇ ଦିଅନ୍ତି ପରଜାଙ୍କୁ ବେଶୀ l
ପଉଷ ଓ ମାଘ ରାଣୀ ରାଜନଙ୍କୁ ଭିଡି,
ଧରାରେ ଦିଅନ୍ତି ଆଣି ଦୁଇ ରାଣୀ ଛାଡି l
ଶୀତରେ ଥରି ଥରି ପ୍ରଜା ଦିନକୁ କାଟନ୍ତି,
କମ୍ବଳ ଢାଙ୍କି ନିଆଁ ଜଳାଇ ସେକି ହୁଅନ୍ତି l
ଶୀତର ପ୍ରକୋପରେ ସଭିଏଁ ଥରି ଉଠନ୍ତି,
କେବେ ଯିବେ ବୋଲି ପ୍ରଜା ଦିନ ଯେ ଗଣନ୍ତି l
ଏହାପରେ ଆସିଥାନ୍ତି ଋତୁରାଜ ବସନ୍ତ,
ରାଜାଙ୍କ ମଧ୍ୟରେ ରାଜା ଓ ସୁନ୍ଦର ଅତ୍ୟନ୍ତ l
ଫାଲଗୁନ ଓ ଚୈତ୍ର ଦୁଇ ରାଣୀ ଆସନ୍ତି,
ଜଣେ ଅଧା ଗରମ ଓ ଶୀତକୁ ଆଣନ୍ତି l
ଦୁଇ ରାଣୀ ଭାରି ଫୁଟାଣି ଦେଖାନ୍ତି ସଭିଙ୍କୁ,
ରାଣୀ ମଧ୍ୟେ ଶ୍ରେଷ୍ଠ ହେବାରୁ ସଜାନ୍ତି ନିଜକୁ l
ଦୁଇ ମାସ ଗଣି ଗଣି ଜଣେ ଜଣେ ରାଜା,
ଖୁସିରେ ଧରାକୁ ଆସି ପାଳନ୍ତି ପରଜା l
ପ୍ରକୃତିର ଏହି ସବୁ ଚକା ଭଉଁରୀ ଖେଳ,
ଜଣେ ଖେଳିଲା ପରେ ଅନ୍ୟର ହୁଏ ବେଳ l
