କୃଷ୍ଣ ସୁଦାମା
କୃଷ୍ଣ ସୁଦାମା
ହେ କୃଷ୍ଣ ପ୍ରୀୟ ପ୍ରାଣସଖା
ସୁଦାମା ଚାଲିଲା ଦ୍ୱାରିକା
ହେ ବାଲ୍ୟ ବନ୍ଧୁ ବାଳସଖା
ସତେ ପାଇବି ତୁମ୍ଭ ଦେଖା l
ମନେ କି ଅଛି ଗୁରୁ ଦୀକ୍ଷା
ଗୁରୁଙ୍କ ଗୃହେ ବିଦ୍ୟା ଶିକ୍ଷା
ଲୁଗା ଉତ୍ତରୀ ସାତ ସିଇଁ
ବେଢ଼ାଇ ପିନ୍ଧି ଅଛି ମୁହିଁ l
ମୁଁ ଅଟେ ଭିକ୍ଷୁକ ବ୍ରାହ୍ମଣ
ତୁ ଅଟୁ ଦ୍ୱାରିକା ରାଜନ
ସେଥକୁ ମୋର ଚିନ୍ତାନାହିଁ
ଭେଟିବି ପ୍ରଭୁ ଭାବଗ୍ରାହୀ l
କୃଷ୍ଣ ଦର୍ଶନେ ମୋର ମନ
ଶ୍ରୀକୃଷ୍ଣଗତ ମୋର ପ୍ରାଣ
ସେ କୃଷ୍ଣ ମୋତେ ହେଉ ପ୍ରାପ୍ତ
ପୂତ କରିବି ଚର୍ମ ନେତ୍ର l
ଦୟା ସାଗର ଦୀନବନ୍ଧୁ
ପାରି ହୋଇବି ଭଵବନ୍ଧୁ
ରକ୍ତାକ୍ତ ପାଦ କଣ୍ଟା ଫୁଟି
ସୁଦାମା ଚାଲେ ପଡ଼ିଉଠି l
ଖୁଦ ଭଜାକୁ କରି ଗଣ୍ଠି
ବନ୍ଧୁଙ୍କ ଉପହାର ଭେଟି
ସୁଦାମା ଚାଲି ଦୀର୍ଘ ପଥ
ଦ୍ୱାରିକା ପୁରେ ଉପଗତ l
ପ୍ରହରୀ ଗଣେ ନିବେଦନ
କରେ ସେ ଦରିଦ୍ର ବ୍ରାହ୍ମଣ
ଆମ୍ଭେ ଯେ କୃଷ୍ଣ ବାଲ୍ୟସଖା
ଆସିଛୁ ପାଇବୁକି ଦେଖା l
ପ୍ରହରୀ ଗଣ ଦେଲେ ତଡ଼ି
ସୁଦାମା କାନ୍ଦେ ମୁଣ୍ଡ କୋଡ଼ି
ଭକ୍ତ ବତ୍ସଳ ଭାବଗ୍ରାହୀ
ଜାଣିଲେ ଅନ୍ତଃପୁରେ ରହି l
ତକ୍ଷଣେ ପ୍ରଭୁ ଦ୍ୱାରେ ଛୁଟି
ବନ୍ଧୁଙ୍କୁ ରାଇଲେ ପାଛୋଟି
ରୁକ୍ମିଣୀ ଦେବୀ କୃଷ୍ଣ ନାରୀ
ସଙ୍ଗତେ ପ୍ରଭୁ ନରହରି l
ବିପ୍ରଙ୍କ ପଦ ଧୌତ କରି
ପିବନ୍ତି ପଦୋଦକ ବାରି
ବସାଇ ଉତ୍ତମ ଆସନ
ରୁକ୍ମିଣୀ କରନ୍ତି ବ୍ୟଜନ l
ବନ୍ଧୁଙ୍କ ଉପହାର ଆଣି
ଛଡ଼ାଇ ଖାନ୍ତି ବେନି ପ୍ରାଣୀ
ଏମନ୍ତେ ଦୁଇ ଦିନ ରହି
ସୁଦାମା ହୋଇଲେ ବିଦାୟୀ l
କୃଷ୍ଣଙ୍କ ଅଶ୍ରୁ ପୂର୍ଣ୍ଣ ନେତ୍ର
ବିଦାୟ ମାଗେ ଦୀନ ବିପ୍ର
ନିଜ ଭୁବନେ ପାଦ ଦେଇ
ଦେଖେ ଦରିଦ୍ର କୁଟି ନାହିଁ l
ସୁଦାମା କହେ କାନ୍ଦି କାନ୍ଦି
କିପାଇଁ ପ୍ରଭୁ ଅଛୁ ଛନ୍ଦି
ଏ ସର୍ବ ସମ୍ପଦେ ମୋହର
ବାଞ୍ଛା ମୋ ନାହିଁ ଚକ୍ରଧର l
ସଖା ମୋହର ନେତ୍ରପଥେ
ଥାଅ ତୁ ସଦା ଅବିରତେ
ଜଗଜ୍ଜୀବନ ଭାବ ଗ୍ରାହୀ
ସୁଦାମା ଭାବ ମୋର କାହିଁ l
ମିନତି ଜଗତ ଠାକୁରେ
ସେ ଭାବେ ବାନ୍ଧ ତୋ ପୟରେ l
