କପଟ ମିତ୍ରମ୍
କପଟ ମିତ୍ରମ୍
ଏକ ଜଙ୍ଗଲରେ ତିନି ବନ୍ଧୁ ଥିଲେ
ହରିଣ ମୂଷା ଓ କାକ,
ସ୍ବାର୍ଥାନ୍ଧ ଶୃଗାଳ ସ୍ଵାର୍ଥ ଲାଳସାରେ
ରଖିଲା ପ୍ରସ୍ତାବ ଏକ ।
ମୋତେ ବନ୍ଧୁ ଭାବେ ଗ୍ରହଣ କରିଲେ
ଖାଦ୍ୟେ ରହିବନି ଚିନ୍ତା ,
ମୂଷା କାକ ଦୁହେଁ ମନାକରି ଦେଲେ
ମୃଗ କହେ ଶୁଣ କଥା ।
ବନ୍ଧୁ ଭାବେ ପାଶେ ଶରଣ ପଶିଛି
ମନାକର ନାହିଁ ତାକୁ,
ମୃଗ କଥା ମାନି ବନ୍ଧୁ ଭାବେ ଚର୍ଚ୍ଚା
କଲେ ଧୂର୍ତ୍ତ ଶୃଗାଳକୁ ।
ସେଦିନ ସନ୍ଧ୍ୟାରେ ଚାଷୀ ଏକ କ୍ଷେତେ
ଫାଶ ବସାଇଛି ଦେଖି ,
ବିଲୁଆ ବିଚାରେ ମୃଗକୁ ମୁଁ ଯେବେ
ବୁଦ୍ଧିରେ ଆଣନ୍ତି ଡାକି ।
ଫାଶରେ ପଡ଼ିଲେ ଚାଷୀ ମାରି ତାକୁ
ମାଂସ ତାହାର ଖାଇବ ,
କିଛି ନହେଲେ ବି ହାଡ଼ ଦିଖଣ୍ଡ ତ
ମୋ ଦାନ୍ତେ ନିଶ୍ଚେ ବାଜିବ ।
ଭୁଲେଇ ଶିଖେଇ ହରିଣ କୁ ଆଣି
ଫାଶେ ପକାଇଲା ଛନ୍ଦି,
ପାଖ ବୁଦା ମୂଳେ ଲୁଚିଲା ଶୃଗାଳ
ହରିଣ ପକାଏ କାନ୍ଦି ।
ହରିଣ ଡାକିଲା ହେ ଶୃଗାଳ ଭାଇ
ଉଦ୍ଧର ଜାଲକୁ କାଟି,
ଶୃଗାଳ କହଇ ଜରରେ କମ୍ପୁଛି
ବାଜୁଅଛି ମୋର ପାଟି ।
ଆଜି ପୁଣି ଦେଖ ସଙ୍କରାନ୍ତି ଦିନ
ଆଇଁଷ ଛୁଇଁବା ମନା,
ସାହାଯ୍ୟ କରିଥାଆନ୍ତି ନିଶ୍ଚେ କିନ୍ତୁ
ଜାଲଟା ଚମଡ଼ା ଅନା ।
ମୂଷା ଓ କାକ କୁ ଡାକ ପକାଇଲା
ଆସି ବନ୍ଧୁ ରକ୍ଷାକର,
ଚତୁର ବିଲୁଆ ଚଞ୍ଚକତା କରି
ନେଉଅଛି ପ୍ରାଣ ମୋର ।
କାକ ମୂଷା ମିଶି ଫାଶକୁ ଛିଣ୍ଡାଇ
ମୃଗକୁ ଦେଲେ ଫିଟାଇ,
ଚାଷୀ ଦେଖେ ଆସି ଫାଶରୁ ମୁକୁଳି
ମୃଗ ଯାଉଅଛି ଧାଇଁ ।
ହାତେ ଥିବା ଠେଙ୍ଗା ଛାଟିଲା ତୁରନ୍ତ
କିଛି ଉପାୟ ନପାଇ,
ବୁଦା ମୂଳେ ଥିବା ବିଲୁଆ ମୁଣ୍ଡରେ
ଜୋରରେ ବାଜିଲା ଯାଇ ।
ବନ୍ଧୁ ସହ ଛଳ କରି ସେ ଶୃଗାଳ
ପାଇଲା ଉଚିତ ଶାସ୍ତି,
ତିନି ବନ୍ଧୁ ପୁଣି ଚଳିଲେ ଜଂଗଲେ
କରି ଥଟ୍ଟା ମଜା ମସ୍ତି।