ବିଚିତ୍ର କର୍ମା
ବିଚିତ୍ର କର୍ମା
ପ୍ରହ୍ଲାଦ ଚିନ୍ତିଲା ପ୍ରଭୁ ଦୟାମୟ ହରି l
ହିରଣ୍ୟ ବୁକୁ ଚିରିଲ ସ୍ତମ୍ଭରୁ ବାହାରି ll
ଧ୍ରୁବ ଚିନ୍ତି ନମଃ ଭଗବତେ ବାସୁଦେବ l
ମହାପ୍ରଭୁ ଧ୍ରୁବପୁରେ ଦେଲ ତାକୁ ଠାବ ll
ଅଦ୍ଭୁତ ବାମନ ରୂପେ ବଳି ଦ୍ୱାରେ ଗଲ l
ତିନିପାଦ ଭୂମି ମାଗି ପାତାଳେ ଚାପିଲ ll
ତ୍ରେତୟା ଯୁଗରେ ରାମରୂପେ ଅବତରି l
ଚରଣସ୍ପର୍ଶେ ତାରିଲ ଗୋଉତମ ନାରୀ ll
ସେତୁବନ୍ଧେ ରାମନାମେ ପଥର ଭାସିଲା l
ରାମନାମେ ହନୁମାନ ଲଙ୍କା ଜଳାଇଲା ll
ଦଣ୍ଡକ ବନରେ ତପୀ ବରଜରେ ଗୋପୀ l
ମୋହି ଥିଲ ଜଗନ୍ନାଥ ପ୍ରଭୁ ବିଶ୍ଵବ୍ୟାପୀ ll
ଅନ୍ଧ ବ୍ରାହ୍ମଣଙ୍କୁ ଚକ୍ଷୁ ଅବହେଳେ ଦେଲ l
ଚଉଦବ୍ରହ୍ମାଣ୍ଡ ମୁଖେ ମାତେ ଦେଖାଇଲ ll
ଯତନେ ସଳଖି ଦେଲ କୁବୁଜାର ଖଞ୍ଜା l
ଯାମଳାର୍ଜୁନ ତାରିଲେ ଶକଟାର ଭଞ୍ଜା ll
ଦ୍ରୌପଦୀ ବିକଳ ଦେଖି କୁରୁସଭା ତଳେ l
କୋଟିବସ୍ତ୍ର ବର୍ଷାକଲ ଅନ୍ତରୀକ୍ଷୁ ହେଳେ ll
ଚକ୍ରରେ ବୁଲାଅ ନାଥ ଏ ସାରା ଜଗତ l
ସୃଷ୍ଟି ସ୍ଥିତି ଲୟ ପାର୍ଶ୍ୱେ ଘୁରେ ଚକ୍ରବତ ll
ବିଚିତ୍ର ତୁମ୍ଭ ଲୀଳା କେ ବର୍ଣ୍ଣନେ ସମର୍ଥ l
ବିଚିତ୍ରକର୍ମାଙ୍କୁ ମୋର କୋଟି ଦଣ୍ଡବତ ll
