ମନରୁ ଫେଇବା ହୀନ ଭାବନା
ମନରୁ ଫେଇବା ହୀନ ଭାବନା
ଆସ ଆମେ ଯେତେ ଚେତନ ମଣିଷ
ମନରୁ ଫେଇବା ହୀନ ଭାବନା
ମିଳିମିଶି ଚଳି ଖୁସି କୋଳାକୋଳି
ଧରି ରଖିଥିବା ସଦ୍ଭାବନା ।
ଆନ ଦୁଃଖେ ଦୁଃଖୀ ଆନ ସୁଖେ ସୁଖୀ
ଦେଖାଇ ଚାଲିବା ମହତପଣ
ପରବତମାଳା ସମ ଠିଆ ହୋଇ
ଥାପିବା ହାତେ ହାତ ଜଣୁ ଜଣ ।
ନିଃସ୍ବାର୍ଥ ଭାବରେ ଆନ ଉପକାରେ
ରହିଥିବା ନିତି ଜୀଇଁ ଜୀବନ
ଆନନ୍ଦାନୁଭବ କେତେ ମିଳୁଥିବ
ଏକଥା ବି ବୁଝି ପାରିବ ମନ ।
କିଆଁ ହୀନ ଭାବ ମନରେ ଧରିକି
ଆନ ପାଖେ ହେଉଥିବା ଘୃଣିତ
ଦେହ ସୁଖ ପରା ଏ ଧନ ସମ୍ପତ୍ତି
ଦେଖାଇ ପାରେ କି ଜୀବନ ପଥ ।
କେହି ସାନ ନୁହେଁ କେହି ବଡ଼ ନୁହେଁ
କେହି ବି ନୁହଁଇ ହୀନ ନଗଣ୍ୟ
ପ୍ରତ୍ୟେକ ନିଜ ନିଜର କର୍ମଭାଗୀ
ସଂସାର ବୁକେ ଜୀବନ ଧାରଣ ।
ସବୁରି ଦେହରେ ଜୀବ ପରମାତ୍ମା
ଏକାକାର ହୋଇ କରନ୍ତି ଖେଳା
ଆମେ ଯେତେଦିନ ଜୀଇଁବା ମରତେ
ଏକତ୍ବ ମନ୍ତ୍ରରେ ବାନ୍ଧିବା ଭେଳା ।
