ଚଷା ପୁଅଟିଏ ମୁହିଁ
ଚଷା ପୁଅଟିଏ ମୁହିଁ
ଚଷା ପୁଅଟିଏ ମୁହିଁ
ଜୀବନ ସାରା କାହାକୁ ନ ଡରି
ମାଟି ତାଡୁଥାଏ ମୂଷାଟି ଭଳି
ଖରା ବର୍ଷା ଶୀତ ମୋ ସହୋଦର
ମିଶି ତାଙ୍କ ସାଥେ ସୁନା ଫସଲ
କ୍ଷେତେ ମୋ ହସି ଉଠଇ
ହସେ ମୋ ଜନମ ଭୂଇଁ ।
ସରଳ ଜୀବନ ନିଷ୍କପଟ ମନ
ଖୋଜେନି କେବେ ମୁଁ ମାନ ସମ୍ମାନ
ଦେହର ଭୂଷଣ ସାଧା ବସନ
ସଦା ଶ୍ରମ ଦାନ ମହତ୍ କର୍ମ
ନିତି କ୍ଷେତେ ଖଟୁ ଥାଇ
ଟିକେ ତେଲ ଲୁଣ ପାଇଁ ।
ପରିଶ୍ରମେ ଭରେ କୋଠି ଅମାର
ହସଇ ଜଗତ ପାଇ ଆହାର
ପାଉ କି ନ ପାଉ କିଛି ଏ ଜୀବନ
ପର ଉପକାର ଯଜ୍ଞ ପ୍ରଧାନ
ଆନନ୍ଦର ସୀମା ନାହିଁ
ଶ୍ରମେ ଜଗତ ପାଳଇ ।
ଦୁଃଖକୁ ମଣଇ ସୁଖ ପସରା
କା' ହାତ ଟେକାକୁ ନାହିଁ ଆସରା
ଗର୍ବ କରେ ହୋଇ ଚଷାର ପୁଅ
ଜନନୀ ସେବାଠୁଁ କି ସେବା କୁହ
ଜଗତରେ ବଡ କାହିଁ
ତୁଳନା ଯାହାର ନାହିଁ ।
ଶ୍ରମେ ଉପାର୍ଜିତ ଯେତିକି ଧନ
କିଛିରେ ମେଣ୍ଟାଇ ମୋ ଗୁଜୁରାଣ
ଯଥୋଚିତ ଜୀବେ ଦାନା ଯୋଗାଇ
ଜାଣିଲି ଶ୍ରମ ମୋ ସାର୍ଥକ ହୋଇ
ସେଇଥିରେ ସୁଖ ପାଇ
ଦିଏ ମୁଁ ଦିନ ବିତେଇ ।