ଶ୍ମଶାନ
ଶ୍ମଶାନ
ଖାଁ ଖାଁ ଲାଗେ କେବେ
କେବେ ପୁଣି ଲାଗଇ ବିପଣୀ
ମଡା ମଡାସାଙ୍ଗିଆଙ୍କ ଗହଳରେ
ଜାଗ୍ରତ ମୁଁ ହୁଅଇ ମଶାଣି ।
କେତେ ଚିତା ଦେଖିଛି ମୁଁ
ଯୂଇ ଜଳି ପାଉଁଶ ମୁଠାଏ
ଜୀବନର ଅନ୍ତିମ ସତ୍ୟଟି
ଚିତାଗ୍ନିରେ ଶେଷ ହୋଇଯାଏ ।
ଇଏ ସେଇ ଶବ ଭସ୍ମ
ବିଭୂତି ଯେ ଶିବଙ୍କର ହୁଏ
ଏଇ ଭସ୍ମ ପରେ ବସି
ତାନ୍ତ୍ରିକ ତା ସାଧନା ଚଳାଏ।
ଏଇଠି ମୋ ଛାତିର ଉପରେ
ତାଣ୍ଡବଲୀଳା ରଚନ୍ତି ଶଙ୍କର ଗଉରୀ
ସବୁ ମୁଁ ଦେଖିଛି ଏଠି ଶୁଭେ
ଭଇରବ ରଡି ।
ମୋ ଛାତିରେ ଆଦ୍ୟ ପ୍ରେତ କୃତ୍ୟ
କରିଥାନ୍ତି ଆତ୍ମୀୟ ସ୍ଵଜନ
ସମସ୍ତଙ୍କୁ ଆଦରି ନିଏ ମୁଁ
ନ ଦେଖଇ କାହା ପାପ ପୁଣ୍ୟ ।
କିଏ ରାଜା କିଏ ବା ଫକୀର
ମୋ ପାଖରେ ସଭିଏଁ ସମାନ
ଶ୍ମଶାନ ମୁଁ ରହିଅଛି ସଦା
ରହିଥିବି ସତ୍ୟ ଏ ବଚନ ।
ପଞ୍ଚଭୂତେ ଗଢା ତୁମ ଦେହ
ଦିନେ ହେବ ପଞ୍ଚଭୂତେ ଲୀନ
କ୍ଷିତି ମୁହିଁ ମୋ ଦେହରେ ଦିନେ
ନିଶ୍ଚେ ତୁମ ହୋଇବ ମିଳନ ।
ମୋତେ ଦେଖି ବୈରାଗ୍ୟ ଜନମେ
ଜୀବନଟା ସତେ କେତେ ଛାର
ଧନ ରତ୍ନ ଦାରା ସୁତ କିଛି ନୁହେଁ ଚିର
ଏ ଜୀବନ ଆମର ନଶ୍ୱର ।
ରଖ ମତି ଶାଶ୍ୱତ ପଥରେ
ମୋ ସମାନ ହୁଅ ନିର୍ବିକାର
ଶ୍ମଶାନ ମୁଁ ଏଇ ଶିକ୍ଷା ଦିଏ
ହୁଅ ସଦା ଅଜର ଅମର ।
