ଶୀତ ଋତୁ
ଶୀତ ଋତୁ
ପ୍ରକୃତି କୋଳରେ ହିମଋତୁ ଆସି
ରାଜୁତି ନିଜର କରୁଛି,
ଗାଁ ରୁ ସହର ଚାରି ଆଡ଼େ ଖାଲି
ଶୀତର ଲହରୀ ଖେଳୁଛି ।
ନୀରବ ରାତିରେ ଝରି ଯାଏ ହିମ
ସଙ୍ଗେ ନେଇ କେତେ ପ୍ରୀତି,
କୁହୁଡ଼ି ଛାଇରେ ଲୁଚି ଯାଏ ରବି
ଅସ୍ପଷ୍ଟ ଦିଶେ ଦିନ ରାତି ।
ଚାଷୀ ଭାଇ କ୍ଷେତ ସୁନେଲି ରଙ୍ଗରେ
ଭାରି ମନୋଲୋଭା ଦିଶେ,
ଭଳି କି ଭଳି ଫୁଲ ଫଳ ଆଦିରେ
ଧରଣୀ ମହକି ଉଠେ ।
ସକାଳୁ ସକାଳୁ ଉଠିବା ପାଇଁକି
ମନ ମୋଟେ କରେ ନାହିଁ,
କଅଁଳା ଶିଶୁଟେ ଶୀତକୁ ଡରିକି
ମାଆ କୋଳ ଛାଡ଼େ ନାହିଁ ।
କୋହଲା ପାଗର ହେମାଳ କମ୍ପନେ
ଥରି ଉଠେ ଦେହ ମୁଣ୍ଡ,
ଢଳି ଗଲେ ସଞ୍ଜ ସୋଇ ଯାଏ ଧରା
ସୂନ୍ ସାନ୍ ଲାଗେ ଦାଣ୍ଡ ।
ଧନୀଙ୍କ ଦେହରେ ଶୀତବସ୍ତ୍ର ସବୁ
ଭାରି ଝଲସୁ ଥାଏ,
ଗରିବ ଲୋକଟି ଫୁଙ୍ଗୁଳା ଦେହରେ
କମ୍ବଳଟେ ଖୋଜୁ ଥାଏ ।
ଗରମ ଗରମ ସବୁ ଭଲ ଲାଗେ ଭାରି
ଶୀତ ଯେବେ ଆସି ଯାଏ,
ଚାଆ ଦୋକାନ ରେ ଏତେ ଭିଡ଼ ସତେ
ସୁନା ବଣ୍ଟା ହେଉ ଥାଏ ।
ଶୀତ ଋତୁ ଅଟେ ଦେହ ପାଇଁ ଭଲ
ଜମା ଯାଅ ନାହିଁ ଭୁଲି,
କିଛି ଦିନ ଆଉ ସହି ଯାଅ ଟିକେ
ଶୀତ ଋତୁ ଯିବ ଚାଲି।
