ବୁଲି ଯିବି ମୁହିଁ ପୁରୀ
ବୁଲି ଯିବି ମୁହିଁ ପୁରୀ
ଚକା ଆଖି ତୋର ଦେଖିବାକୁ ଟିକିଏ
ଇଚ୍ଛା ହୁଏ ମୋର ଭାରି,
କେବେ ରେ କାଳିଆ ଡୋରି ଲଗେଇବୁ
ବୁଲି ଯିବି ମୁହିଁ ପୁରୀ॥
ଗଲା ବେଳେ ସଙ୍ଗେ ନେଇ କରି ଯିବି
ମୋ ବାରି ଫଳ ତୋ ପାଇଁ,
ସଙ୍ଗେ ପୁଣି ନେବି ଫୁଲ ତୁଳସୀ ମାଳ
ତୋ ବେକେ ପକେଇବା ପାଇଁ॥
ଗରୁଡ଼ ପଛରେ ଛିଡ଼ା ହୋଇ ମୁହିଁ
ଦେଖୁ ଥିବି ତୋର ମୁଖ,
ଲୁହ ଢାଳି ଦେଇ ଶ୍ରୀ ଚରଣେ ତୋର
କହୁ ଥିବି ମୋର ଦୁଃଖ॥
ନାଲି ଓଠେ ତୋର ହସି ହସି ତୁହି
ପାପ ଧୋଉଥିବୁ ମୋର,
ଅଧା ଗଢ଼ା ହାତ ମୁଣ୍ଡେ ମୋ ବୁଲେଇ
ଆଶିଷ ଦଉଥିବୁ ତୋର॥
ଆନନ୍ଦ ବଜାରେ ତୋ ମହାପ୍ରସାଦ
ଖାଇବି ମୁଁ ପେଟେ ବସି,
ବଳିବ ଯେତିକି ଘରକୁ ଆଣିବି
ଅବଢ଼ା ଯେ ହୁଏନି ବାସି॥
ଦୂରରେ ଥାଇ ମୁଁ ଜଣାଇ ଦେଉଛି
ମନେ ତୁ ପଡୁଛୁ ଭାରି,
କେବେ ରେ କାଳିଆ ଡୋରି ଲଗେଇବୁ
ବୁଲି ଯିବି ମୁହିଁ ପୁରୀ॥
