STORYMIRROR

Shreeman Anshuman Priyadarshee

Abstract Tragedy Children

4.5  

Shreeman Anshuman Priyadarshee

Abstract Tragedy Children

ଗାଁ ଆମ ହଜି ଯାଇଛି

ଗାଁ ଆମ ହଜି ଯାଇଛି

1 min
50

ଯାଇ ଥିଲି ଦିନେ ଗାଁ ବୁଲିବାକୁ 

ଗାଁ ଆଉ ଗାଁ ନାହିଁ,

ଅତୀତର ଗାଁ ହଜି ତ ଯାଇଛି 

ଖୋଜି ମୁଁ ପାଇଲି ନାହିଁ॥


ଗାଁ କୁ ଲମ୍ବିଛି କଂକ୍ରିଟ ରାସ୍ତା 

ମାଟି ସଡ଼କ ଆଉ ନାହିଁ,

ସବୁରିଙ୍କ ପାଖେ କାର ବାଇକି  

ଶଗଡ଼ ଆଉ ଦିଶୁ ନାହିଁ॥


ଚାଳ ଛପର ଓ ଝାଟି ମାଟି ଘର  

ଗାଁ ରେ ଗୋଟିଏ ନାହିଁ,

ସମସ୍ତଙ୍କ ଏବେ ବଡ଼ କୋଠା ଘର

ଗରିବ କେହି ବି ନାହିଁ॥


ବୋହୂ ମାନେ ଆଉ ଓଢ଼ଣା ଦେଇକି

ସଡ଼କରେ ଚାଲୁ ନାହାନ୍ତି,

ସକାଳ ପାହିଲେ ଘର ଦୁଆର ଆଉ

ଗୋବରରେ ଲିପୁ ନାହାନ୍ତି॥


କାଠ ଚୁଲି ଧୂଆଁ ନାକରେ ବାଜୁନି 

ଏଲ୍‌ପିଜି ସବୁ ଘରେ,

କଂସା ବାସନ ଓ ମାଟି ହାଣ୍ଡି ଏବେ

ଲୋକଙ୍କଠୁ ବହୁ ଦୂରେ॥


ଜହ୍ନ ମାମୁ ଦେଖି ଟିକି ପିଲେ ଏବେ

ଖାଉ ଯେ ନାହାନ୍ତି ଭାତ,

ଆଈ ମାଆ ପାଖୁ ଶୁଣୁ ଆଉ ନାହାନ୍ତି 

ନାନା ବାୟା ଗପ ଗୀତ॥


ନାହିଁ କିତିକିତି, କାଚ କଉଡ଼ି ଓ

ବୋହୂ ଚୋରି ଭଳି ଖେଳ,

ପିଲାମାନେ ଏବେ ରିଲ୍ସ କରି ଯେ

କାଟୁଛନ୍ତି ନିଜ ବେଳ॥


ସଞ୍ଜ ନଇଁଲେ ଆଉ ଅନ୍ଧାର ହେଉନି

ସବୁଠି ବିଦ୍ୟୁତ ବତି,

ଡିବିରି ଲଣ୍ଠନ କିଏ ଆଉ ଦେଖୁଛି 

ଅତୀତର ତାହା ସ୍ମୃତି॥


ବରଗଛ ମୂଳ ପିଣ୍ଡିରେ ଏବେ ଯେ

ଖଟି ଆଉ ଜମୁ ନାହିଁ,

ନିଜ ନିଜ କର୍ମେ ଏତେ ବ୍ୟସ୍ତ ସର୍ବେ 

ସମୟ କାହାକୁ ନାହିଁ॥


ଭାଗବତ ଟୁଙ୍ଗି ତାଲା ପଡ଼ି ଅଛି

ବୁଢ଼ା ବୁଢ଼ୀ ଟିଭି ପାଖେ,

ଗିତା ଭାଗବତ କିଏ ଆଉ ଶୁଣୁଛି 

ଏବେ ଟିଭି ସିରିଏଲ ଆଗେ॥


ପୂଜା ପରବରେ କାହା ଘରେ ଆଉ

ପିଠା ପଣା ହଉ ନାହିଁ,

ଚକୁଳିଆ ପଣ୍ଡା ଗୀତ ଗାଇ ଗାଇ 

ଗାଁ ଦାଣ୍ଡେ ବୁଲୁ ନାହିଁ॥


ଭଲ ମନ୍ଦ ହେଲେ ଡିସ୍କୋ ଡିଜେ ଏବେ

ସବୁରିଙ୍କ ଲୋଡ଼ା ଆଗ,

ପାଲା ସଙ୍କୀର୍ତ୍ତନ ଘୁଡ଼ୁକି ଦାସକାଠିଆ 

ଲାଗୁ ନାହିଁ ଆଉ ବାଗ॥


ଚାଷ ଜମି ଛାଡ଼ି ଚାଷୀ ଭାଇ ଏବେ

ବିଦେଶେ ଦାଦନ ଖଟୁଛି,

ତୋଟା ଜଙ୍ଗଲ କଟା ହୋଇ ଏବେ

ସହର ତିଆରି ହେଉଛି॥


ଗାଁ ମାଟିର ସେ ମଧୁର ବାସନା 

ଧିରେଧିରେ କମି ଯାଉଛି,

ଅପୂର୍ବ ଅସୀମ ଗାଁ ର ସୌନ୍ଦର୍ଯ୍ୟ 

ବିଲୁପ୍ତ ହେଇହେଇ ଯାଉଛି॥


ବିକାଶ ଉନ୍ନତି ଆଗରେ ଆଜି 

ସଂସ୍କୃତି ହାରି ଯାଇଛି,

ଆଧୁନିକତାର ପ୍ରଭାବରେ ଆଜି 

ଗାଁ ଆମ ହଜି ଯାଇଛି॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract