STORYMIRROR

Shreeman Anshuman Priyadarshee

Abstract Classics Others

4  

Shreeman Anshuman Priyadarshee

Abstract Classics Others

ଚଳଚଞ୍ଚଳ ରଥ ଖଳା

ଚଳଚଞ୍ଚଳ ରଥ ଖଳା

1 min
48


ଚଳଚଞ୍ଚଳ ଲାଗେ ରଥ ଖଳା ଏବେ

ଶ୍ରୀମନ୍ଦିର ଲାଗେ ଖାଲି,

ଅଣସର ଘରେ କାଳିଆ ଶୋଇକି 

ଜ୍ବରରେ କମ୍ପୁଛି ବୋଲି।


ଶହେ ଆଠ ଗରା ଜଳରେ ଗାଧୋଇ 

ହୋଇଛି ଯେ ଏହି ଦଶା,

ଚେରମୂଳି ସଙ୍ଗେ ପାଉଛି ସେ ଏବେ

ଫୁଲୁରି ତେଲର ଘସା।


ରଥ ଗଢ଼ା ବେଗେ ସାରିବା ପାଇଁକି

ଭାରି ଚଞ୍ଚଳ କାରିଗର,

ଜ୍ଵରରୁ ଉଠିଲେ ଭାଇ ଭଉଣୀଙ୍କ ସହ

ବୁଲି ଯିବେ ଗୁଣ୍ଡିଚା ଘର।


ରଥ ଖଳାରେ ନିହାଣ ମୁନ ଯେ 

ଗାଉଛି କଳାର ସଙ୍ଗୀତ,

କଳା କୌଶଳ ବଳେ ମହାରଣା ମାନେ 

କାଠକୁ କରନ୍ତି ଜୀବନ୍ତ।


ବିଶ୍ଵକର୍ମା ମହାରଣା ରଥ ଗଢ଼ି ଥାଏ 

କାଠ ଚିରି ଦିଏ କର୍ତ୍ତି,

ଭୋଇ ସେବକ ଯେ କାଠ ବୋହି ଥାଏ

ରୂପକାର ଗଢ଼େ ମୂର୍ତ୍ତି।


କଣ୍ଟା ଯେ ଯୋଗାଏ କମାର ସେବକ 

ଚିତ୍ରକାର ଆଙ୍କେ ଚିତ୍ର,

ସୀବନ ଯେ କରେ ଦରଜୀ ସେବକ

ରଥ ପିନ୍ଧେ ଯେଉଁ ବସ୍ତ୍ର।


ତାଳଧ୍ଵଜ ରଥ ବଡ଼ ଠାକୁରଙ୍କ

ନନ୍ଦିଘୋଷ କାଳିଆର,

ଦେବଦଳନ ଯେ ସୁଦର୍ଶନ ପୁଣି

ଭଉଣୀ ସୁଭଦ୍ରା ର।


ନାଲି ହରିତ ମିଶା ଲୁଗା ଯେ ପିନ୍ଧଇ 

ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ,

କଳା ନାଲି ଲୁଗା ଦର୍ପଦଳନ ଯେ ପିନ୍ଧେ

ନାଲି ହଳଦିଆ କପିଧ୍ୱଜ।


ତାଳଧ୍ୱଜେ ବନ୍ଧା କଳା ଚାରି ଘୋଡ଼ା

ଦେବୀ ରଥେ ନାଲି ଘୋଡ଼ା,

ଭାବ ବିନୋଦିଆ ନନ୍ଦିଘୋଷ ରଥେ

ବନ୍ଧା ଧଳା ଚାରି ଘୋଡ଼ା।


ଚଉଦ ଗୋଟି ଚକ ତାଳଧ୍ଵଜେ ଯୋଡ଼ା 

ମାତଳି ଅଟେ ତା ସାରଥୀ,

ଷୋଳ ଗୋଟି ଚକ ଚକ୍ରଧ୍ଵଜେ ଯୋଡ଼ା 

ଦାରୁକ ଅଟେ ତା ସାରଥୀ।


ହଳଦୀ ମୁହିଁର ରଥ ଯେ ଅଟଇ 

ତିନି ରଥ ମଧ୍ୟେ ସାନ,

ବାର ଗୋଟି ଚକ ରଥରେ ତାହାର 

ସାରଥୀ ଯେ ଅର୍ଜୁନ।


କିଛି ଦିନ ପରେ ସମ୍ପୂର୍ଣ୍ଣ ଭାବରେ 

ସୁସ୍ଥ ହୋଇବେ ଗୋସାଇଁ,

ଦୂର ଦୁରାନ୍ତରୁ ଘୋଷ ଯାତ୍ରା ଦେଖି 

ଆସିବେ ଭକତ ଧାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract