ଦୁଃଖରେ ସୁଖ
ଦୁଃଖରେ ସୁଖ


ଦୁଃଖ ସୁଖ ଦୁହେଁ ଗୋଟିଏ ମୁଦ୍ରାର
ଦୁଇଟି ପାରୁଶ ସମ,
ତହୁଁ ଏକ ପାର୍ଶ୍ଵ ଅନୁପସ୍ଥିତିକୁ
ନ ଲୋଡ଼ିବା ମନ ଭ୍ରମ I [୧]
ଦୁଃଖ ସୁଖ ସଦା ଜୀବନର ସାଥି
ଯେହ୍ନେ ଖରା ଆଉ ଛାଇ,
ଅନ୍ଧକାର ବିନା ଆଲୋକର ସ୍ଥିତି
ଅନୁଭବୀ ହୁଏ ନାହିଁ I [୨]
ଜୀବନ ଜଞ୍ଜାଳ ପରସ୍ପର ସାଥୀ
ନିହାତି ପରିପୂରକ,
ଜଞ୍ଜାଳକୁ ଡରି ଜୀବନ ହରାଏ
ଦୁର୍ବଳ ଓ ପଳାତକ। [୩]
ଅନଳ କୁଣ୍ଡର ଉତ୍ତପ୍ତ ଶିଖାରେ
ସୁବର୍ଣ୍ଣ ନିଖିରୀ ଯାଏ,
ଝଡଝଞ୍ଜା ବ୍ୟକ୍ତି ଜୀବନରେ ଆସି
ଚରିତ୍ର ସଜାଡି ଦିଏ I [୪]
କଳା ବଉଦର କୋଳେ ଥାଇ ସିନା
ଚମକେ ବିଜୁଳି ରୂପ,
କଦାକାର ଘୃଣ୍ୟ ପଙ୍କରୁ ଜନମ
ସୁଶ୍ରୀ ପଙ୍କଜ ସ୍ୱରୂପ I [୫]
ଜୀବନରେ ଯାହା ଅବଶ୍ୟମ୍ଭାବୀ
ତାକୁ ଏଡି ହୁଏ ନାହିଁ ,
ତେଣୁ ଦୁଃଖ କ୍ଷଣେ ଅଧୀର ନହୋଇ
ବର୍ତ୍ତମାନେ ଯିବା ଜୀଇଁ I [୬]
ସୁନ୍ଦର ମନର ସୁନ୍ଦର ବିଚାର
ସୁନ୍ଦର କରାଏ କର୍ମ,
ସୁନ୍ଦର କର୍ମରେ ଜୀବନ ସୁନ୍ଦର
ସୁନ୍ଦର ଏ ଧରାଧାମ। [୭]