ମୁଁ ଖୋଜେ ମୋ' ନିଜ କୋଳ
ମୁଁ ଖୋଜେ ମୋ' ନିଜ କୋଳ
ଶ୍ରାବଣରେ ଯେବେ ନୀଳ ଆକାଶରେ
ବଉଦ ହସିବ ନାହିଁ ।
କେମିତି ଭାବୁଛ ଚକୋର୍ମିକୁ ଦେଖି
ନାଚିବ ନିର୍ଜଳା ନଈ !
ଆକାଶରୁ ଯେବେ ବଉଦ ଝରିବ
ସାଗର ନାଚି ଉଠିବ ।
ଆକାଶ ସାଗର ସମ୍ପର୍କ ସୁଅର
ହିସାବ କି କରିହେବ !
ସୁରୂଯ ସାଥିରେ ପୁଣ୍ୟ ପୃଥିବୀର
ବନ୍ଧନ ଚିର ଅମର ।
ସେଇଥିପାଇଁ ତ ଜୀବ ଜଗତର
ସ୍ପନ୍ଦନ ସମ୍ଭବପର !
ମୁଁ ଲିଭିଗଲେ ତୁମେ ବଞ୍ଚିଯିବ
ତୁମେ ତ ପୂର୍ଣ୍ଣିମା ଜହ୍ନ ।
ତୁମେ ହଜିଗଲେ କେମିତି ଖୋଜିବି
ମୁଁ ଯେ ବର୍ଣ୍ଣରେ ବିବର୍ଣ୍ଣ ।
ତୁମ ତିରସ୍କାର ରମ୍ୟ ଉପହାର
ମୋ' ଜୀବନର ପୃଷ୍ଠାରେ,
ହେଉ ପଛେ ତାହା ଉର୍ବର ଭତ୍ସନା
ତାହା କେ' ବିକଳ୍ପି ପାରେ ?
ତୁମେ ସିନା ମୋତେ ଅଣଦେଖା ମନ୍ତ୍ରେ
ଅମଙ୍ଗଳିଆ ଭାବିଲ ।
ମୁଁ ତ ଦିବା ନିଶି ମଙ୍ଗଳ ମନାସି
କଳ୍ପିବି ତୁମ ମଙ୍ଗଳ ।
ତୁମରି ଆଖିରେ ମୋ'ରି ଚିତ୍ରପଟ
କାଳିମା କଳଙ୍କମୟ !
ତା' ପ୍ରଚ୍ଛଦପଟ ଦେଖିଛ କି କେବେ
ତୁମ ରଙ୍ଗେ ରଙ୍ଗମୟ !
ସମ୍ପର୍କ ଭାଙ୍ଗିବା ନୂଆ କଥା ନୁହେଁ
ଜୀବନ ବିଚିତ୍ର ଖେଳ ।
ଥାଅ ତୁମେ ତୁମ ଲକ୍ଷ୍ୟ ସାଧନାରେ
ମୁଁ ଖୋଜେ ମୋ' ନିଜ କୋଳ ।