ଅତୀତ
ଅତୀତ
ଅତୀତର ଶବାଗାରରୁ ଉଠି ଆସନ୍ତି
ସ୍ମୃତି ସବୁ କୋଳାହଳ କରି
ଭରପୁର କରିଦେଇ ଦିନ ପ୍ରତିଦିନର ମୁହୂର୍ତ୍ତ ମାନଙ୍କୁ
କେବେ ଫଗୁଣର ଆଶ୍ୱାସନା ନେଇ
କେବେ ନିଦାଘର ଅଗ୍ନିବର୍ଷା ନେଇ।
ଜୀବନ ବାଟ ଭାଙ୍ଗେ ସମୟର ଇଶାରାରେ ସିନା
ପ୍ରାଣ କିନ୍ତୁ ଜୀଇଁ ଉଠେ ଅନୁଭୂତିର ବିଭୂତି ସ୍ପର୍ଶରେ
ହଜି ଯାଉଥିବା ବେଳ ଗୁଡ଼ାକ ଖୁବ୍ ମୁଖର ହୁଅନ୍ତି
କେବେ ଆଖି ଟିକେ ଘୁମେଇ ଯିବା ପରେ
କେବେ ଅବସାଦ ଆବୋରିବା ପରେ।
ଜୀବନ ଏମିତି ତ କିଛି ମୁହୂର୍ତ୍ତ ମାନଙ୍କର ହିଁ ଆସର
କିଛି ହୁଏ ଉପଭୋଗ୍ୟ ଆଉ କିଛି ନଷ୍ଟ କରେ ଭାଗ୍ୟ
ସେଇ ମଡା ଅମଡ଼ା ବାଟରେ ମୁଁ ଯାଯାବରଟିଏ
କେବେ ଫୁଲ ହୋଇ ଖୁବ୍ ହସେ ଓ ସଭିଙ୍କୁ ହସାଏ
କେବେ ରୁଧିରାକ୍ତ ନଦୀଟିଏ ହୋଇ ଦୂରେ ବହିଯାଏ।
ଦୂର ପାହାଡ଼ର ସ୍ଵପ୍ନରେ ବିଭୋର ମୁଁ ଏକ ଦିଗନ୍ତ ପ୍ରେମିକ
ଭବିଷ୍ୟର ସୁନ୍ଦର ସ୍ଵପ୍ନରେ ପଡିଉଠି ଧାଏଁ ନିରନ୍ତର
କିଛି ପାଏ କିଛି ହାରେ ସଂସାର ସଂଗ୍ରାମେ
ସ୍ମୃତି ସବୁଙ୍କୁ ବନ୍ଧେଇ କରି ମୋ ଘର କାନ୍ଥରେ
କେବେ ଆଉଥରେ ଅତୀତକୁ ବଞ୍ଚିବାକୁ ମୁଁ ଝୁରି ହୁଏ
କେବେ ଶିକ୍ଷା ପାଇ ଦେଖି ଚାହିଁ ପାଦକୁ ବଢାଏ।