ସାରଣୀ
ସାରଣୀ
କୁସୁମ ଗୁନ୍ଥିଲେ ହାର
ଭାବ ଗୁନ୍ଥିଲେ ଈଶ୍ବର
ବିଶ୍ୱାସ ଗୁନ୍ଥିଲେ ସଂପର୍କ ସୁନ୍ଦର
ସଂପର୍କ ଗୁନ୍ଥିଲେ ଘର।
ଲହରୀ ଗୁନ୍ଥି ସାଗର
ପ୍ରେମ ଗୁନ୍ଥି ପରିବାର
ସହାନୁଭୂତି ଓ ଆନ୍ତରିକତା ରେ
ପର ହୁଏ ଆପଣାର ।
ପଂଚଭୂତ ଗୁନ୍ଥି ଜୀବନ ସର୍ଜନ
ପ୍ରଶ୍ୱାସ ଗୁନ୍ଥିଲେ ପ୍ରାଣ
ବିଦ୍ୱେଷ ଗୁନ୍ଥିଲେ ଘୃଣା ଉପୁଜଇ
ଅନୁକମ୍ପାରୁ କାରୁଣ୍ୟ ।
ଦଣ୍ଡକୁ ଯୋଡି ସମୟ
ଦୁର୍ବଳତା ଆଣେ ଭୟ
ଆତ୍ମସଂଯମ ରେ ଆତ୍ମବଳ ଗୁନ୍ଥି
ଅଜୟକୁ କର ଜୟ।
ଜ୍ଞାନକୁ ଗୁନ୍ଥିଲେ ବୁଦ୍ଧି
ଧ୍ୟାନ ଗୁନ୍ଥିଲେ ସମାଧି <
/p>
ସତ୍ କର୍ମ କଲେ ଜୀବନ ମଧୁର
ସାଧନାରୁ ମିଳେ ସିଦ୍ଧି ।
ଚେତନା ଗୁନ୍ଥି ବିବେକ
ବାସନା ଜନ୍ମାଏ ପାପ
ଫୁଲ ରେଣୁ ଗୁନ୍ଥି ସୁମଧୁର ମଧୁ
ଧୀରେ ସଂଚଇ ମଧୁପ ।
କିରଣକୁ ଗୁନ୍ଥି ଖରା
ବରଷାକୁ ଗୁନ୍ଥି ଧାରା
ଜଳଧାରା ଗୁନ୍ଥି ପାହାଡ ପିଠିରେ
ନାଚଇ ନିର୍ଝରା ଝରା ।
ସନ୍ତୋଷ ଗୁନ୍ଥିଲେ ସୁଖ
ଅସନ୍ତୋଷ ଆଣେ ଦୁଃଖ
ଦୁର୍ଲଭ ମଣିଷ ଜନମ ପାଇଛ
ଖୁସିରେ ରହିବା ଶିଖ।
ହିଂସା ଶୋଷଣକୁ ଛାଡି
ସ୍ୱାର୍ଥ କୁସଂସ୍କାର ଫେଡି
ମାନବବାଦ ରେ ଭାତୃଭାବ ଯୋଡି
ଚଢିଯା ଜୀବନ ସିଡି ।