ମାଟି ଦୀପ
ମାଟି ଦୀପ
ସାଧା ସିଧା ତନୁ ସରଳ ଗଢ଼ଣ
ମେଞ୍ଚାଏ ଚିକିଟା ମାଟି,
କାହିଁକି ଖୋଜୁଛ ମୋ ଠାରେ ଚମକ
କଂସା ପିତ୍ତଳର ପୁଟ୍ଟୀ I
ଦେହକୁ ତତେଇ ଆଲୋକ ବିଛେଇ
ତମସା ଦୁରେଇ ଖୁସି,
ଚେନାଏ ରଶ୍ମିର ଝଲକ, ଖୋଜେନା
ବିଜୁଳି ବତୀର ଜ୍ୟୋତି I
ରାଜା ଉଆସର ଆଶରା ଖୋଜେନା
ମୋ ମୂଲ ମୁଁ ଅବଗତ,
ଗରୀବର ମାଟି କୁଡ଼ିଆରେ ସ୍ଥାନ
ପାଇ ମୁଁ ସନ୍ତୋଷ ଚିତ୍ତ I
ସେନେହ ମମତା ଆଦର ଯତନେ
ମାଟି କୁଡ଼ିଆ ସରଗ,
ହତାଦର ଆଉ ଅପମାନ ଭରା
ଉଆସ ନରକ ଭୋଗ I
ଚେନାଏ ଆଲୋକ କରିପାରେ ଚେନେ
ବହଳ ଅନ୍ଧାର ସଫା,
ଅ
ତି ମୁଲ୍ୟାୟନେ ମୂଲେଇ କରନା
ଅବ ମୁଲ୍ୟାୟନେ ଅଵା I
ଦେବଦେବୀ ପୂଜା ସ୍ଥଳ ହେଉ ଅଵା
ମୃତ ଘଟ କ୍ରିୟା କର୍ମ,
ସ୍ଥାନ କାଳ ପାତ୍ର ଭେଦ ମୁଁ ଦେଖେନି
ଜଳିବା ମୋହର ଧର୍ମ I
ବାସ୍ତବ ମାନର ତଉଲରେ ତୋଳି
ନିଅ ମୋତେ ଆପଣେଇ,
ଦେହ ଥିବା ଯାଏଁ ଜଳି କେତେ ଶୁଭ
ମନାସିବି ତୁମ ପାଇଁ I
ଭଙ୍ଗୁର ତନୁରେ କଅଁଳ ମନଟି
ଯତନରେ ତୋଳି ଧର,
କଂସା ପିତ୍ତଳର ଶକତି ନାହିଁ ମୋ
ହୋଇଯିବି ଚୁରୁମାର ।
ସୁଠାମ ସୁଢଳ ଚମକ ଶରୀର
ସିନା ଈଶ୍ୱରୀୟ ଦାନ
ସୁଗୁଣେ ବିକଶି କଳୁଷ ବିନାଶି
ନିଜକୁ ମଣଇ ଧନ୍ୟ I