ମୋ ଓଡିଶା
ମୋ ଓଡିଶା
ମୋ ଓଡିଶା
................
ସବୁଠୁ ସୁନ୍ଦର ମୋ ଉତ୍କଳ ଭୂଇଁ
ସୁନ୍ଦର ତାହାର ଭାଷା ,
କେତେ ସୁମଧୁର ତା' ପାଣି ପବନ
ନାମଟି ତା'ର ଓଡିଶା ।
ଆର୍ଯ୍ୟଭୂମି ପୁଣି ପୂଣ୍ୟଭୂମି ଭାବେ
ସାରା ବିଶ୍ବରେ ବିଦିତ,
ଘନ ଅରଣ୍ୟାନୀ ଗିରିମାଳା ତା'ର
ସୌନ୍ଦର୍ଯ୍ୟରେ ବିମଣ୍ଡିତ ।
ଦେବ ଭୂମି ଏହି ଉତ୍କଳର ଭୂମି
ଭୂପ ଯା'ର ଜଗନ୍ନାଥ ,
ବଡ ଦେଉଳରେ ବଡ ଠାକୁର ସେ
ନୀଳଚକ୍ରେ ଉଡେ ନେତ ।
ସୁନ୍ଦର ଗଡର 'ବେଦବ୍ୟାସ' ପୁଣି
'ଖଣ୍ଡାଧାର' ଜଳପ୍ରପାତ ,
ବଲାଙ୍ଗୀରର 'ହରିଶଙ୍କର' ରେ
ହରି ଓ ହର ବନ୍ଦିତ ।
କୋରାପୁଟ 'ବାଗ୍ରା' 'ଡୁଡୁମା' ପ୍ରପାତ
'ଗୁପ୍ତେଶ୍ବର' 'ତ୍ରିଲୋଚନ',
ଗଞ୍ଜାମରେ ମାତା 'ତାରା ତାରିଣୀ'ଯେ
ବହୁ ଯୁଗ ପୁରାତନ ।
ମରାଳ ମାଳିନୀ ନିଳାମ୍ବୁ 'ଚିଲିକା'
ପ୍ରକୃତି ବୈଭବେ ପୂର୍ଣ୍ଣ,
'କୋଣାରକ'ର ଚାରୁକଳା କୀର୍ତ୍ତି
କିଣି ନେଇ ଯାଏ ମନ ।
ଘଟଗାଁ ପୀଠରେ ମାତା 'ତାରିଣୀ' ଯେ
ଯାଜପୁରେ ମା' 'ବିରଜା',
ସମ୍ବଲପୁରରେ ମାତା 'ସମଲାଇ'
ଢେଙ୍କାନାଳେ 'ସପ୍ତଶଯ୍ୟା'।
କାକଟ ପୁରରେ ମାତା 'ମଙ୍ଗଳା' ଯେ
ବାଣପୁରେ 'ଭଗବତୀ' ,
ଭୁବନେଶ୍ବରରେ 'ଲିଙ୍ଗରାଜ' ପ୍ରଭୂ
ଦର୍ଶନେ ମିଳଇ ଶାନ୍ତି ।
କଟକ ସହରେ 'ବାରବାଟୀ ଦୁର୍ଗ'
ପୂର୍ଣ୍ଣ ଐତିହ୍ୟ ମଣ୍ଡିତ ,
'ଗଡଚଣ୍ଡୀ' ମାତା ପ୍ରତ୍ୟକ୍ଷ ଦେବୀ ଯେ
ବିଶ୍ବ ଦରବାରେ ଖ୍ୟାତ ।
କଟକରେ ମାତା 'କଟକ ଚଣ୍ଡୀ' ଯେ
ଝଙ୍କଡରେ ମା' ସାରଳା ,
ରେମୁଣାରେ 'କ୍ଷୀରଚୋରା ଗୋପୀନାଥ'
ପୁରୀ ରେ ମା' 'ବିମଳା' ।
'ପାରାଦ୍ବୀପେ' ଚାଲେ ବଣିଜ ବେପାର
ବନ୍ଦର ମଧ୍ୟରେ ସାର ,
'ଚାନ୍ଦିପୁରେ' ଆମ କ୍ଷେପଣାସ୍ତ୍ର ଘାଟୀ
ବିଜ୍ଞାନର ଗନ୍ତାଘର ।
'ଧବଳଶ୍ବର'ରେ ପ୍ରଭୂ ଶିବସମ୍ଭୂ
କଣ୍ଟିଲୋ 'ନୀଳମାଧବ',
କେତେ ଯେ ଐତିହ୍ୟ ଭରା ମୋ ଉତ୍କଳ
କିଏ ତା'ର ସରି ହେବ?
ତା'ର ଇତିହାସ ଚାରିଯୁଗେ ଖ୍ୟାତ
ବର୍ଣ୍ଣିଲେ ସରିବ ନାହିଁ ,
ସୌନ୍ଦର୍ଯ୍ୟେ ଭରା ତା' ଚାରୁକଳା କୀର୍ତ୍ତି
କେଉଁଠି ମିଳିବ କାହିଁ ?
ଗରବେ ଆଜି ମୁଁ କହୁଛି ଏତିକି
ଓଡିଶା ମୋ ଜନ୍ମ ଭୂଇଁ ,
ଓଡିଆ ମୋ ଭାଷା କେତେ ଯେ ସୁନ୍ଦର
ତାହାର ତୁଳନା ନାହିଁ