ଭାରତୀୟ ଅର୍ଥନୀତି
ଭାରତୀୟ ଅର୍ଥନୀତି


ରୁକ୍ଷ ତ୍ଵଚା ଆଉ ମଳୀନ ଚେହେରା
ଦୁଇ ଗାଲେ ବ୍ରଣ ଭରା,
ଅବିବାହିତା ସେ ମଧ୍ୟ ବୟସ୍କା ଟି
ରଙ୍ଗ ଦେଖିବାକୁ ଗୋରା ;
ପିନ୍ଧି ଏକ କଳା ପାଟ,
ଥିରି ଥିରି କରି ଯାଉଥିଲା ଚାଲି
ଦେଇ ଆମ ଘର ବାଟ ।
ଅତି ଆପଣାର ଲାଗିଲା ମୋତେ ସେ
ପାଖକୁ ଗଲି ମୁଁ ତାର,
ପ୍ରଣାମ ଜଣେଇ ପଚାରି ମୁଁ ଦେଲି
କୋଉଠି ତୁମର ଘର ;
କିଏ ତୁମେ ଦେବୀ କୁହ?
କୋଉଠି ନିଶ୍ଚେ ମୁଁ ଦେଖିଛି ତୁମକୁ
ଚିହ୍ନାଚିହ୍ନା ଲାଗେ ମୁହଁ ।
ହସିଲା ମୁରୁକି କହିଲା ରାଗିକି
ଜାଣିନୁ ତୁ ମୂଢମତି,
ମୁହିଁ ପରା ତୋର ଅତି ଅପଣାର
ଭାରତୀୟ ଅର୍ଥନୀତି;
କରୋନା ସାଧିଛି ଦାଉ,
ସୁନ୍ଦର ରୂପ ମୋ ଲୁଟି ନେଇଗଲା
ଫେରି କି ପାଇବି ଆଉ ?
ପେଟ୍ରୋଲ ଶହେକୁ ସୁନା ଦର ପରା
ପଚାଶ ହଜାର ହେଲାଣି,
ଆକାଶଛୁଆଁ ଏ ପରିବା ଦର ଟା
ସଭିଙ୍କୁ ଘାଇଲା କଲାଣି;
ଛାଡିଦେ ଗରିବ କଥା,
ବଜାର ଖବର ଶୁଣି ହେଇଯାଏ
ଧନୀର ବି ମୁଣ୍ଡ ବଥା ।
ମଦ ଦୋକାନଟା ହୋଇଅଛି ଖୋଲା
ମନ୍ଦିରେ ପଡିଛି ତାଲା,
ସରକାରଙ୍କ
ର ସବୁ ଯୋଜନା ତ
କୁଜି ନେତା ମୁହେଁ ଗଲା;
ନିଇତି ବଢୁଛି ରୋଗ,
ରୋଗର ନାଆଁରେ ବାଣ୍ଟିକୁଣ୍ଟି ସବୁ
ନେଇଗଲେ ନିଜ ଭାଗ ।
ଲାଦାଖ୍ ସୀମାରେ ଚାଇନା ସଇନ
ଆଗକୁ ଆସୁଛି ମାଡି,
ଆମର ଖାଇକି ଚେମେଣୀ ନେପାଳ
ଆମକୁ କରୁଛି ରଡି;
ବାହାର ବଇରି କେତେ,
ଭିତରେ ପଶିକି କରୋନା ରାକ୍ଷସୀ
ଖାଇ ତ ଗଲାଣି ମୋତେ।
ବିଦେଶୀ ଦରବ କିଣୁଅଛ ତୁମେ
ବଢାଅ ବିଦେଶୀ ବିତ୍ତ,
ଦେଶୀ ଜିନିଷକୁ ନାକ ଟେକୁଅଛ
ମାଆକୁ ମାରୁଛ ନାତ;
ତୁମ ପରି ପୁଅ ପାଇ,
ଗରବରେ ଆଜି ଫାଟି ପଡୁଅଛି
ତୁମରି ଭାରତ ଭୂଇଁ ।
କଥା ଶୁଣି ତାର ଅଜଣାତେ ମୋର
ଆଖିରେ ଆସିଲା ଲୁହ,
ପଣତରେ ସିଏ ପୋଛିଦେଇ ଲୁହ
କହିଲା ଶୁଣ ରେ ପୁଅ ;
ହୁଅ ଟିକେ ସଚେତନ,
ତୁମେ ସୁଧୁରିଲେ କରୋନା ମରିଲେ
ଫେରିବ ମୋ ଯଊବନ ।
ଏତିକି କହିକି ବିଦାୟ ନେଇକି
ନିଜ ବାଟେ ଗଲା ଚାଲି,
ଦି ପଦ କଥାରେ ବୁଝାଇଲା ଯାହା
ସହଜରେ ବୁଝିଗଲି ;
ଭାରତୀୟ ଅର୍ଥନୀତି,
ଆମେ ଚେଷ୍ଟା କଲେ ଫେରି ପାଇବା ତା
ହଜିଥିବା ରୂପକାନ୍ତି ।